ସମ୍ବଲପୁର: ପଥରରେ ଛେଚି ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ । ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ବେହେରାମୁଣ୍ଡା ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ । ସ୍ଥାନୀୟ ଅଞ୍ଚଳର ଜୟମତି ରଣା କିଛିଦିନ ହେବ ବାପଘରେ ରହି ଆସୁ ଥିବାବେଳେ, ଗତ ବିଳମ୍ୱିତ ରାତିରେ ତାଙ୍କ ସ୍ୱାମୀ ସେଠାକୁ ଆସି ହତ୍ୟା କରିଥିବା ଚର୍ଚ୍ଚା ହେଉଛି ।
ସୂଚନା ଅନୁସାରେ, ବେହେରାମୁଣ୍ତାର ଜଣେ ଯୁବତୀ ଜୟମତି ରଣା ସୁନ୍ଦରଗଡ଼ ଜିଲ୍ଲାର ଧୁରୁଆଦିହିର ଯୁବକ ପିଣ୍ଟୁ ମୁଣ୍ଡାଙ୍କୁ ବିବାହ କରିଥିଲେ । ପାରିବାରିକ କଳହ ଲାଗି ରହିବାରୁ ଜୟମତି କିଛିଦିନ ହେବ ବାପଘରେ ରହି ଆସୁଥିଲେ । ଗତକାଲି(ଗୁରୁବାର) ରାତିଲେ ପିଣ୍ଟୁ ଜୟମତିଙ୍କ ବାପଘରକୁ ଆସିଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା । ଏହାପରେ ପିଣ୍ଟୁ ହଠାତ୍ ରାଗିଯାଇ ଜୟମତିଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ ।
ଫଳରେ ଜୟମତିଙ୍କ ମୃତ୍ୟୁ ଘଟିଛି । ଏନେଇ ଖବର ପାଇ କ୍ଷେତରାଜପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ଘଟଣା ପରେ ଅଭିଯୁକ୍ତ ସ୍ବାମୀ ଫେରାର୍ ହୋଇଯାଇଥିବା ଜଣାପଡିଛି । ପୋଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମର ରଣା, ଇଟିଭି ଭାରତ