ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି 30ତମ ସମାବର୍ତ୍ତନ ଉତ୍ସବ । ବିଶ୍ବବିଦ୍ୟାଳୟର କୁଳପତି ଦୀପକ କୁମାର ବେହେରାଙ୍କ ପୌରୋହିତ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କୁଳାଧିପତି ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସାମିଲ ହୋଇଥିଲେ । ଏହାସହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ।
କୁଳାଧିପତି ଗଣେଶୀ ଲାଲ୍ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଜିତ କୁମାର ମହାନ୍ତି ଓ ଭାଷା କ୍ଷେତ୍ରରେ ଅବଦାନ ପାଇଁ ଅଟଳ ବିହାରୀ ପଣ୍ଡାଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ପଦବୀରେ ସମ୍ମାନିତ କରିଛନ୍ତି । ଏହି ସମାବର୍ତ୍ତନ ଉତ୍ସବରେ କୁଳାଧିପତି 49 ଜଣଙ୍କୁ ଗୋଲଡ଼ ମେଡାଲ, 86 ଜଣଙ୍କୁ ପିଏଚଡି ଓ 5 ଜଣଙ୍କୁ ଡିଲିଟ ଓ ଜଣଙ୍କୁ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରିଛନ୍ତି । ତେବେ ଚଳିତ ବର୍ଷ 25 ହଜାର ଛାତ୍ରଛାତ୍ରୀଙ୍କୁ ଗ୍ରାଜୁଏଟ ସାର୍ଟିଫିକେଟ ପ୍ରଦାନ କରାଯାଇଛି ।
ଏହି ଅବସରରେ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ମାନ୍ୟତାର ଆବଶ୍ୟକତା ରହିଛି ବୋଲି ଆଲୋଚନା ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଥିଲେ । ଅଗାମୀ ଦିନରେ ଭାରତର ଜିଡିପିରେ ଉନ୍ନତି ଆସିବ ବୋଲି ସେ ଉଲ୍ଲେଖ କରିଥିଲେ। ଏହା ସହ ବିଗତ ଦିନରେ କେତୋଟି ଅନ୍ତର୍ଜାତୀୟ କାରଣରୁ ଜିଡିପି କମିଥିବା ସେ କହିଛନ୍ତି ।
2014 ରୁ ଆଜି ପର୍ଯ୍ୟନ୍ତ ଦେଶରେ କେନ୍ଦ୍ର ସରକାରଙ୍କ ନୀତି ଓ ପଦକ୍ଷେପ ଦୃଷ୍ଟାନ୍ତ ମୁଳକ ବୋଲି ସେ କହିଥିଲେ। ଏହାସହ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଶିକ୍ଷା ଲାଭ କରିଥିବାରୁ ସେ ଗର୍ବିତ ବୋଲି କହିଥିଲେ। ଗତ 5 ବର୍ଷ ମଧ୍ୟରେ ରେଟ୍ ଅଫ୍ ଗ୍ରୋଥ୍ ବଢିବା ସହ ବର୍ତ୍ତମାନ 3 ଟ୍ରିଲୀୟନରେ ପହଞ୍ଚିଛି। ଆସନ୍ତା 2024 ସୁଦ୍ଧା ଭାରତର ଅର୍ଥନୀତି 5 ଟ୍ରିଲୀୟନରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ