ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ଆଜି ପୁଣି ଖୋଲିଲା ଆଉ 3 ଟି ଗେଟ । ବର୍ତ୍ତମାନ ମୋଟ୍ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ବର 6ଟି ଏବଂ ଡାହାଣ ପାର୍ଶ୍ବର 2ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।
ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଭଣ୍ଡାର କ୍ଷମତା 630 ଫୁଟ ହୋଇଥିବା ବେଳେ ବର୍ତ୍ତମାନ ଏହାର ଜଳସ୍ତର 614.45 ଫୁଟ ରହିଛି । ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 1ଲକ୍ଷ 8 ହଜାର 705 ଘନଫୁଟ୍ ଜଳ ପ୍ରବେଶ କରୁଛି । ଜଳ ଭଣ୍ଡାରରୁ ତଳ ମୁଣ୍ଡ ମହାନଦୀକୁ 1ଲକ୍ଷ 16ହଜାର 731 ଘନଫୁଟ ଜଳ ନିଷ୍କାସିତ ହେଉଛି l ଉପର ମୁଣ୍ଡରେ ପ୍ରବଳ ବର୍ଷ ହୋଇଥିବାରୁ ହୀରାକୁଦର ଜଳସ୍ତର ବଢୁଥିବାରୁ ଏହିଭଳି ପଦକ୍ଷେପ ନିଆଯାଇଛି ବୋଲି ସୂଚନା ଦିଆଯାଇଛି l
ହୀରାକୁଦର ଗୋଟିଏ ଗେଟ ଖୋଲିବାକୁ 23 ମିନିଟ ଲାଗୁଥିବା ବେଳେ ଏଥିପାଇଁ କ୍ରେନ୍ ବ୍ୟବହାର ହୋଇଥାଏ l ଅନ୍ୟପଟେ ଜୁଲାଇ ଶେଷ ସୁଦ୍ଧା ହୀରାକୁଦର ଜଳ ସ୍ତର 605 ଫୁଟରେ ରଖି ଆହୁରି 25 ଫୁଟ ଜଳ ଖାଲି ରଖାଯିବ l ଏହି 25 ଫୁଟରେ ବନ୍ୟା ପରିଚାଳନା କରାଯାଏ । ଅନ୍ୟପଟେ ଅତ୍ୟାଧୁନିକ ଜ୍ଞାନ କୌଶଳ, ପାଣିପାଗ ବିଭାଗର ସୂଚନା, ଡିସ୍ଚାର୍ଜ ସେଣ୍ଟରଗୁଡିକରୁ ସୂଚନା ସଂଗ୍ରହ କରି ଡ୍ୟାମ ବନ୍ୟା ଜଳ ପରିଚାଳନା କରାଯାଉଛି l ସେହିପରି ଆଜି 3 ଟି ଗେଟ ଖୋଲାଯିବା ପୂର୍ବରୁ ମହାନଦୀ ଉପକୂଳରେ ବସବାସ କରୁଥିବା ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଥିଲା । ଡାକବାଜି ଯନ୍ତ୍ର ସାହାଯ୍ୟରେ ହୀରାକୁଦ ଏବଂ ସମ୍ବଲପୁର ସହରରେ ସଚେତନ କରାଇଛି । ବନ୍ୟା ଆଶଙ୍କା ପ୍ରକାଶ ପାଉଥିବାରୁ ବନ୍ୟା ଆଶ୍ରୟସ୍ଥଳୀଗୁଡିକୁ ପ୍ରସ୍ତୁତ ରଖାଯାଇଛି ।
ଏହା ମଧ୍ୟ ପଢନ୍ତୁ- ଖୋଲିଲା ହୀରାକୁଦ ଗେଟ, 5ଟି ଗେଟ ଦେଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ
ପ୍ରକାଶ ଥାଉକି, ଗତକାଲିଠାରୁ ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି । ପୂର୍ବ ସୂଚନା ମୁତାବକ ପୂଜାର୍ଚ୍ଚନା କରାଯିବା ପରେ ସକାଳ 9ଟାରୁ ଗେଟ୍ ଖୋଲାଯାଇଥିଲା । ପ୍ରଥମେ 7 ନମ୍ବର ସୁଇସ୍ ଗେଟ ଖୋଲାଯାଇଥିଲା । ପରେ ପର୍ଯ୍ୟାୟ କ୍ରମେ ଆଉ 4ଟି ଗେଟ ଖୋଲାଯାଇଛି । ବାମ ପାର୍ଶ୍ଵରୁ 3ଟି ଓ ଡାହାଣ ପାର୍ଶ୍ଵରୁ 2ଟି ଗେଟ ଖୋଲାଯାଇଥିଲା । ଗେଟ ଖୋଲାଯିବା ପୂର୍ବରୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଥିଲା ।
ଇଟିଭି ଭାରତ, ସମ୍ବଲପୁର