ରାୟଗଡା: ବିନା ୱାଇ ଫର୍ମରେ ଚାଲିଛି ବେଆଇନ ବାଲି ଚୋରା ଚାଲାଣ । ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଟ୍ରାକ୍ଟର ମାଲିକ ସଂଘ । ଏନେଇ ସୋମବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବସି ସଙ୍ଘ ସଦସ୍ୟ ଧାରଣା ଦେଇଛନ୍ତି ।
ବାଲି ଉଠାଣ ପାଇଁ ଟେଣ୍ଡର ହାତେଇଥିବା ମାଲିକମାନେ ଟ୍ରାକ୍ଟରଙ୍କୁ ୱାଇ ଫର୍ମ ପ୍ରଦାନ କରୁନଥିବାରୁ ବିଭିନ୍ନ ସମୟରେ ରାଜସ୍ବ ବିଭାଗ ଅଧିକାରୀ ତଥା ପୋଲିସ ଚଢାଉ କରି ନୀରିହ ଟ୍ରାକ୍ଟରମାଲିକଙ୍କୁ ଅତ୍ୟଧିକ ଆର୍ଥିକ ଜୋରିମାନା କରୁଥିବା ସଂଘ ଅଭିଯୋଗ କରିଛି । ବିନା ଅନୁମତି ପଡୋଶୀ ଆନ୍ଧ୍ରକୁ ବାଲି ଚାଲାଣ ହେଉଥିବା ସ୍ଥଳେ ରାଜସ୍ବ ବିଭାଗ ଟ୍ରାକ୍ଟରକୁ ଚଢାଉ କରି ନିଜ ଦାୟିତ୍ବ ସାରିଦେଇଥିବା ଅଭିଯୋଗ ହୋଇଛି । ବିନା ୱାଇ ଫର୍ମ ଦେଇ ଦୀର୍ଘଦିନ ବାଲି ଚାଲାଣ ହେଉଥିବାବେଳେ ହାତଗଣତି ମାତ୍ର କେଇଥର ରାଜସ୍ୱ ଅଧିକାରୀ ଟ୍ରକ୍ଟରଙ୍କୁ ଚଢାଉ କରି ବେଆଇନ ବାଲି ମାଫିଆଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ନିଜ ହାତ ଝାଡି ଦେଉଥିବା ସଂଘ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି ।
ଜିଲ୍ଲାର ପ୍ରମୁଖ ନାଗାବଳୀ ନଦୀରୁ ସହଶ୍ରାଧିକ ବାଲି ଉଠାଣ ହେଉଥିବାରୁ ଟେଣ୍ଟର ହାତେଇଥିବା ମାଲିକ ଟ୍ରକ୍ଟର ଚାଳକଙ୍କୁ ୱାଇ ଫର୍ମ ପ୍ରଦାନ କରୁନାହାନ୍ତି । ଫଳରେ ବିନା ଦୋଷରେ ଟ୍ରକ୍ଟର ମାଲିକ ଆର୍ଥିକ ଦଣ୍ଡ ଭୋଗୁଛନ୍ତି ବୋଲି ସଂଘ ସଦସ୍ୟ ପ୍ରକାଶ କରିଛନ୍ତି । ତେବେ ବେକାର ହୋଇ ବୁଲୁଥିବା ଯୁବକ କାମ ଧନ୍ଧା ନପାଇ ଧାର କରଜ କରି ଟ୍ରାକ୍ଟର ଆଣି ପରିବାର ପ୍ରତିପୋଷଣ କରୁଥିବାବେଳେ ବାଲି ଉଠାଣ କରୁଥିବା ମାଲିକଙ୍କୁ ବଞ୍ଚାଇବା ସକାଶେ ଟ୍ରକ୍ଟର ମାଲକଙ୍କୁ ପ୍ରଶାସନ ଦାଉ ସାଧୁଛି ବୋଲି ଟ୍ରକ୍ଟର ମାଲିକ ସଂଘ ପକ୍ଷରୁ କୁହାଯାଇଛି । ତେବେ ନିକଟବର୍ତ୍ତୀ ବାଲିଘାଟର ବାର୍ଷିକ ୱାଇ ଫର୍ମ ଅବଧି ସରିଯାଇଛି ତେଣୁ ସହର ଠାରୁ 8 କିଲୋମିଟର ପ୍ରତାପପୁର ବାଲିଘାଟରୁ ୱାଇ ଫର୍ମର ସୁବିଧା ରହିଛି ସେଠାରୁ ବାଲିଉଠାଇ ପାରିବେ ବୋଲି କହିଛନ୍ତି ରାୟଗଡା ତହସିଲଦାର ଉମାଶଙ୍କର ବେହେରା ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ