ରାୟଗଡା: ଟ୍ରକ ଧକ୍କାରେ ଯୁବକ ଗୁରୁତର । ୩୨୬ ନମ୍ବର ଜାତୀୟ ରାଜପଥ କଡରେ ଠିଆ ହୋଇଥିବା ଏକ କାଠ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ଇଣ୍ଡିଆନ ଅୟଲର ଏକ ତେଲ ଟ୍ୟାଙ୍କର ।
ଘଟଣାଟି ଘଟିଛି ରାୟଗଡା ସହରସ୍ଥିତ ରିଲାଏନ୍ସ ସପିଙ୍ଗ୍ ମଲ ସମ୍ମୁଖରେ । ଜେକେ କାଗଜ କଳକୁ କାଠ ଅନଲୋଡିଂ ପାଇଁ ଯାଉଥିବା ଏକ କାଠ ବୋଝେଇ ଟ୍ରକ ରାଜପଥ କଡରେ ଛିଡା ହୋଇଥିବାବେଳେ ବିଶାଖାପାଟଣାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ତେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ କାଠ ବୋଝେଇ ଟ୍ରକଟିକୁ ପଛପଟୁ ଧକ୍କା ଦେଇଥିଲା ।
ଫଳରେ ତେଲ ଟ୍ୟାଙ୍କରଟିର ସମ୍ମୁଖ ଭାଗର ଡାହାଣ ପଟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ଗୋଟିଏ ପାର୍ଶ୍ବରେ ବସିଥିବା ଟ୍ରକ ହେଲପର ପି.କ୍ରିଷ୍ଣା ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । କାଠ ବୋଝେଇ ଟ୍ରକରୁ କାଠଗୁଡିକ ରାସ୍ତା ଉପରେ ପଡିବା ସହ ଦୁର୍ଘଟଣା ଗ୍ରସ୍ତ ତେଲ ଟ୍ୟାଙ୍କରରୁ ତେଲ ରାସ୍ତାରେ ପଡି ଭାସୁଥିବା ଦେଖିବାକୁ ମିଳିଛି ।
ଫଳରେ ଦୀର୍ଘ ସମୟ ଧରି ରାସ୍ତାରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ରାୟଗଡା ଟାଉନ ଥାନା ପିସିଆର ଏବଂ ୧୧୨ ନମ୍ବର ପୋଲିସ ଗାଡି ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ପ୍ରଥମେ କାଠ ବୋଝେଇ ଟ୍ରକଟିକୁ ବାହାର କରାଯିବା ପରେ ତେଲ ଟ୍ୟାଙ୍କରକୁ ରାସ୍ତା କଡକୁ ହଟାଯାଇ ଟ୍ରାଫିକ୍ ସ୍ୱାଭାବିକ କରାଯାଇଥିଲା । ଗୁରୁତର ହେଲପର କ୍ରିଷ୍ଣାଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିିକିତ୍ସା କରାଯାଉଥିବାବେଳେ ଡ୍ରାଇଭର ଏଙ୍କେଟି ନାଇଡୁ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।
ଉଭୟ ଡ୍ରାଇଭର ଓ ହେଲପରଙ୍କ ଘର ଆନ୍ଧ୍ର୍ରପ୍ରଦେଶର ରାଜମୁନ୍ଦ୍ରି ଅଞ୍ଚଳର ବୋଲି ଜଣାପଡିଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ