ରାୟଗଡା: ବିଶ୍ବରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ସେଥିପାଇଁ ଜାରି ହୋଇଛି ଅନେକ କଟକଣା । ତଥାପି କେହି ରୋକି ପରିନାହାନ୍ତି ଏହି ମହାମାରୀକୁ । ବଡ ବଡ ଦେଶ ମଧ୍ୟ ଏହାକୁ ମୁକାବିଲା କରିବା ହୋଇଛନ୍ତି ବିଫଳ । ଏହାର ଏକମାତ୍ର ସମାଧାନ ହେଉଛି ପ୍ରତିଷେଧକ ଔଷଧ । ତେଣୁ ପ୍ରତିଷେଧକ ପ୍ରସ୍ତୁତରେ ଲାଗିପଡିଛନ୍ତି ଅନେକ ଦେଶ । ଏହି ଔଷଧ ପ୍ରସ୍ତୁତିରେ ବିଦେଶରେ ସାମିଲ ହୋଇଛନ୍ତି ଓଡିଶାର ପୁଅ ଆଦିତ୍ୟ କୁମାର ପାଢୀ ।
ଜାପାନରେ କାର୍ଯ୍ୟରତ ଆଦିତ୍ୟ ୟୁମିଫେନୋଭିର ଔଷଧର ପ୍ରଭାବକୁ ନେଇ ଗବେଷଣା ଜାରି ରଖିଛନ୍ତି । ଇନଫୁଏନଜା ଔଷଧ ୟୁମିଫେନୋଭିର ଗବେଷଣା ଟିମର ସଦସ୍ୟ ରୂପେ ଔଷଧର ବ୍ୟବହାରିକ ପ୍ରୟୋଗରେ ନିଜର ଯୋଗଦାନ ଦେଇଛନ୍ତି । ତେବେ ଏହି ଔଷଧ କୋରୋନା ରୋଗୀଙ୍କ ସ୍ବାସ୍ଥ୍ୟରେ ସକାରତ୍ମକ ପ୍ରତିକ୍ରିୟା ସୃଷ୍ଟି କରିଥିବାରୁ ଏହା ମହାମାରୀ ଚିକିତ୍ସା ପାଇଁ ଫଳପ୍ରଦ ହେବ ବୋଲି ସେ କରିଛନ୍ତି ଆଶା ।
ପରୀକ୍ଷଣରେ ମଲ୍ୟୁକୁଲାର ଡକିଙ୍ଗ ମଲ୍ୟୁକୁଲାର ଡାଇନାମିକ୍ସ, ଷ୍ଟିମୁଲେସନ, ପ୍ରୋଟିନ ଷ୍ଟକଚର, ନେଟୱାର୍କ ଆଲାଲିସିସ ଓ ବାଇଣ୍ଡିଙ୍ଗ ଫ୍ରି ଏନର୍ଜୀ ଭଳି ବିଭିନ୍ନ ଟେକନିକ କରିଛନ୍ତି ବ୍ୟବହାର । ଔଷଧର ବ୍ୟବହାରିକ ପରୀକ୍ଷଣ ନହୋଇଥିଲେ ମଧ୍ୟ ସୁପର କମ୍ପ୍ୟୁଟରର୍ସ ଯୋଗେ ୟୁମିଫେନୋଭିର ଔଷଧ କୋରୋନା ରୋଗୀଙ୍କ ସ୍ବାସ୍ଥ୍ୟରେ କରୁଛି ସକାରତ୍ମକ କାର୍ଯ୍ୟ । ସେ ନେଇ ଲ୍ୟାବରେ ମଧ୍ୟ କରାଯାଇଛି ପରୀକ୍ଷା । ଏହି ଔଷଧ ପ୍ରୟୋଗ ଫଳରେ କୋଭିଡ ଭୂତାଣୁ ପୁଷ୍ଟିସାର ଓ ଆକ୍ରାନ୍ତ ରୋଗୀଙ୍କ କୋଷିକାରେ ଥିବା ପୁଷ୍ଠିସାର ଉଭୟ ମଧ୍ୟରେ ବନ୍ଧନ ସୃଷ୍ଟି ହେଉନଥିବା ଲକ୍ଷ୍ୟ କରାଯାଇଥିବା ସେ କହିଛନ୍ତି ।
ସମଗ୍ର ବିଶ୍ବରେ ମହାମାରୀର ପ୍ରତିଷେଧକ ମୂଳକ ଔଷଧ ଓ ଭ୍ୟାକ୍ସିନ ଉଦଭାବନ ପାଇଁ ସବୁ ରାଷ୍ଟ୍ର ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ବିକଶିତ ଦେଶଠୁ ଆରମ୍ଭ କରି ବିକାଶଶୀଳ ଦେଶ ଗୁଡିକ ପ୍ରଥମେ କୋଭିଡ ରୋଗ ଫଳପ୍ରଦ ଉପାଚାର ଖୋଜିବା ନିମନ୍ତେ ଆପ୍ରାଣ ପ୍ରତିଯୋଗିତା ଅବିରତ ରଖିଛନ୍ତି । ଅନ୍ୟପକ୍ଷେ ସମଗ୍ର ଗବେଷକ ଓ ଚିକିତ୍ସା ବୈଜ୍ଞାନିକ କରୋନା ମହାମାରୀର ସଫଳତମ ଚିକିତ୍ସା ପାଇଁ ପୂର୍ବରୁ ଭୂତାଣୁ ବାହକ ରୋଗରେ ବ୍ୟବହୃତ ଚିକିତ୍ସା ପଦ୍ଧତି ଓ ଔଷଧକୁ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାରରେ ଆଣିବା । ବିନା ପାର୍ଶ୍ବ ପ୍ରତିକ୍ରିୟାରେ ସେ ଔଷଧ ମହାମାରୀ ଚିକିତ୍ସାରେ କିପରି ବ୍ୟବହୃତ ହୋଇପାରିବ ସେ ନେଇ ଗବେଷକ ଗବେଷଣା ଜାରି ରଖିଛନ୍ତି ।
ଅନୁରୂପ ଦକ୍ଷିଣ ଓଡିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁହାଯାଉଥିବା ରାୟଗଡା ଜିଲ୍ଲାର ଜଣେ ପୁଅ ଆଦିତ୍ୟ କୁମାର ପାଢୀଙ୍କ ସମେତ ନାଇଜର ଭୁବନେଶ୍ବରରେ ଅଧ୍ୟୟନରତ ଅନିରୁଦ୍ଧ ସିଲ ଓ ନର୍ଥଇଷ୍ଟ ହିଲ ବିଶ୍ବବିଦ୍ୟାଳୟ ସହକାରୀ ଅଧ୍ୟାପକ ତିମିର ତ୍ରିପାଠୀଙ୍କ ଦ୍ବାରା ଗଠିତ ଏକ ତିନିଜଣିଆ ଗବେଷକ ଟିମ ନିଜସ୍ଵ ପ୍ରଚେଷ୍ଟାରେ ୟୁମିଫେନୋଭିର ଔଷଧର ସକାରାତ୍ମକ ପରୀକ୍ଷଣ ସାରି ଏକ ନିବନ୍ଧ ପ୍ରଦାନ କରିଥିବା ଜଣାପଡିଛି ।
ଚାଇନା ଓ ରୁଷିଆ ସରକାର ୟୁମିଫେନୋଭିର ନାମକ ଔଷଧକୁ ମହାମାରୀ ରୋଗରେ ଆକ୍ରାନ୍ତଙ୍କୁ ଚିକିତ୍ସା ସକାଶେ ଏହି ଔଷଧ ପ୍ରୟୋଗ କରୁଥିବାବେଳେ ଏହା ମନୁଷ୍ୟଙ୍କ ସ୍ବାସ୍ଥ୍ୟରେ କିଭଳି କାର୍ଯ୍ୟ କରୁଛି ସେ ନେଇ ଡା.ପାଢୀ ଓ ତାଙ୍କ ଟିମ ଗବେଷଣା ମାଧ୍ୟମରେ ରିପୋର୍ଟ ପ୍ରସ୍ତୁତ କରିଥିବା ନେଇ ସେ ସୂଚନା ଦେଇଛନ୍ତି । ଏହି ଔଷଧର ବ୍ୟବହାରିକ ପରୀକ୍ଷଣ ନ ହୋଇଥିଲେ ମଧ୍ୟ ସୁପର କମ୍ପ୍ୟୁଟରର୍ସ ଯୋଗେ ୟୁମିଫେନୋଭିର ଔଷଧ କୋରୋନା ରୋଗୀଙ୍କ ସ୍ବାସ୍ଥ୍ୟରେ ସକାରତ୍ମକ କାର୍ଯ୍ୟ କରୁଛି । ସେ ନେଇ ଲ୍ୟାବରେ ଗବେଷଣା ହୋଇସାରିଥିବା ଡା.ପାଢୀ ପ୍ରକାଶ କରିଛନ୍ତି । ଏହି ଔଷଧ ପ୍ରୟୋଗ ଫଳରେ କୋଭିଡ ଭୂତାଣୁ ପୁଷ୍ଟିସାର ଓ ଆକ୍ରାନ୍ତ ରୋଗୀଙ୍କ କୋଷିକାରେ ଥିବା ପୁଷ୍ଠିସାର ଉଭୟ ମଧ୍ୟରେ ବନ୍ଧନ ସୃଷ୍ଟି ହେଉନଥିବା ନେଇ ଲକ୍ଷ୍ୟ କରାଯାଇଥିବା ସେ କହିଛନ୍ତି ।
ଚାଇନା ଓ ରୁଷ ସରକାର ଦେଶରେ ୟୁମିଫେନୋଭିର ଔଷଧକୁ କରୋନା ଚିକିତ୍ସା ପାଇଁ ବ୍ୟବହାର ଯାହାଫଳରେ ସେଠାରେ ଅନ୍ୟ ଦେଶ ଅପେକ୍ଷା ସଂକ୍ରମଣ ଓ ଆକ୍ରାନ୍ତଙ୍କ ମୃତ୍ୟୁ କମ ବୋଲି ଅନୁମାନ କରାଯାଉଛି । ତେଣୁ ଭାରତ ସରକାର ମଧ୍ୟ ଏହି ଔଷଧକୁ ବ୍ୟବହାରରେ ଆଣିବାକୁ ଯୋଜନା ଚଳାଇଥିବାବେଳେ ଏହା ପୂର୍ବରୁ ବ୍ୟବହାରିକ ପ୍ରମାଣିକ ହାସଲ ପାଇଁ ଦୁନିଆର ବିଭିନ୍ନ ପ୍ରାନ୍ତର ସୁକ୍ଷ୍ମ ଜୀବାଣୁ ପ୍ରୟୋଗ ବିଜ୍ଞାନ ଲ୍ୟାବମାନଙ୍କରେ ପରୀକ୍ଷା ନିରୀକ୍ଷା ଜାରି ରହିଥିବା ସେ କହିଛନ୍ତି । ଏହି ଔଷଧଟି ଭାରତରେ ସେଣ୍ଟ୍ରାଲ ଡ୍ରଗ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଠାରେ କ୍ଲିନିକାଲ ଟ୍ରାଏଲର ତୃତୀୟ ଷ୍ଟେଜରେ ପହଞ୍ଚିଛନ୍ତି । ତେବେ ଏହା ତୃତୀୟ ପର୍ଯ୍ୟାୟରେ ଉତୀର୍ଣ୍ଣ ହେଲା ପରେ ଦେଶରେ କୋରୋନା ମହାମାରୀ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏହା ବ୍ୟବହୃତ ହୋଇ ପାରିବ ବୋଲି ବୋଲି ଡା. ପାଢୀ ସୂଚନା ଦେଇଛନ୍ତି ।
ରାୟଗଡ଼ା ସହରର ଗୋଦାବରୀଶ ନଗର ନିବାସୀ ଆଦିତ୍ୟ ସାଉଥକୋର ଜଣେ ଅବସରପ୍ରାପ୍ତ କର୍ମଚାରୀ ଜଗନ୍ନାଥ ପାଢ଼ୀ ଏବଂ ମାଆ ପ୍ରେମଲତା ପାଢ଼ୀଙ୍କ ଏକ ମାତ୍ର ପୁଅ । ୨୦୦୩ ମସିହାରେ ରାୟଗଡାର ଜିସିଡି ହାଇସ୍କୁଲରୁ ମାଟ୍ରିକରେ ପ୍ରଥମ ସ୍ଥାନରେ ପାସ କଲା ପରେ ଆଉ ପଛକୁ ଫେରି ଦେଖିନାହାନ୍ତି । ପରେ ସ୍ଥାନୀୟ ଘରୋଇ କଲେଜରେ ବାୟୋଟୋକ୍ନାଲୋଜିରେ ବିଟେକ୍ ପରେ ୨୦୧୦ରେ ଆଇଆଇଟି ଦିଲ୍ଲୀରେ ବାଇଓଲୋଜିକାଲ ସାଇନସରେ ପିଏଚଡ଼ି କରିଥିଲେ । ପରେ ୨୦୧୬ରୁ ଜାପାନ ସରକାରଙ୍କ ରିକେନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ନିଯୁକ୍ତି ପାଇ ନିଜ ଗବେଷଣା ଜାରିରଖିଛନ୍ତି । ପୂର୍ବରୁ ଆଦିତ୍ୟଙ୍କ ଟିମ୍ ନିୟୁରୋ ଡି ଜେନେରେଟିଭ ଏବଂ କ୍ୟାନସର୍ ଓ ଅନ୍ୟାନ୍ୟ ଭୂତାଣୁ ଜନିତ ରୋଗ ପ୍ରତିରୋଧକ ବିଷୟରେ ଗବେଷଣା କରିବାରେ ସଫଳ ହୋଇଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ