ରାୟଗଡା: ଜିଲ୍ଲା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥରେ ଏକ କାର୍ ଧକ୍କାରେ ଚାଲିଗଲା ଏକ ନିଷ୍ପାପ ଶିଶୁର ଜୀବନ। ମୃତ ଶିଶୁ ଜଣକ ହେଲା ୬ ବର୍ଷୀୟ ସୁଧାଂଶୁ ସାମଲ । ନିଜ ଭଉଣୀ ସହ ରାସ୍ତା ପାର ହେବା ସମୟରେ ଏକ କାର୍ ଧକ୍କା ଦେଇଥିଲା। ଘଟଣାରେ ଉତ୍ତେଜିତ ହୋଇ ରାୟଗଡା ଥାନା ଘେରାଉ କରିଛନ୍ତି ବସ୍ତିବାସିନ୍ଦା ।
ସୂଚନାଅନୁସାରେ ଶିଶୁଟି ରାସ୍ତା ପାର ହେବା ସମୟରେ କାରଟି ପିଲାଟିକୁ ଧକ୍କା ଦେଇଥିଲା । ଫଳରେ ଶିଶୁଟି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସୁଧାଂଶୁର ମୃତ୍ୟୁ ଘଟିଥିଲା। ଏହାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି । ମୃତ ଶିଶୁ ଜଣକ ମେହନ୍ତରଙ୍କ ପୁଅ ବୋଲି ଜଣାପଡିଛି ।
ପୌର ପରିଷଦର ସମସ୍ତ ମେହନ୍ତର ଆଜି କାମ ବନ୍ଦ କରି ରାୟଗଡା ଥାନା ଘେରାଉ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବି କରି ଏହି ଘେରାଉ ହୋଇଛି । ଥାନା ସମ୍ମୁଖରେ ଶତାଧିକ ମେହନ୍ତରଙ୍କ ସମେତ ତାଙ୍କ ପରିବାର ବସି ରହିଛନ୍ତି । ଯାହା ଦ୍ବାରା ଓଡିଶା-ଆନ୍ଧ୍ରପ୍ରଦେଶ ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ପୋଲିସ ବୁଝାସୁଝା କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ତଥାପି କୌଣସି ସୁଫଳ ମିଳିନାହିଁ ।
ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିିଭି ଭାରତ