ରାୟଗଡା: ତାମିଲନାଡୁ ତ୍ରିପୁର ସହରକୁ ଦାଦନ ଖଟିବାକୁ ଯାଉଥିବା ୬ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର । ଶ୍ରମିକଙ୍କୁ ରାୟଗଡ ରେଳ ଷ୍ଟେସନରୁ ଉଦ୍ଧାର କରିଛି ରାୟଗଡ ଚାଇଲ୍ଡଲାଇନ୍ । ଉଦ୍ଧାର ୬ ନାବାଳିକା ଶିଶୁ ଶ୍ରମିକଙ୍କୁ ଗାଡି ଯୋଗେ ତାଙ୍କ ଘରେ ଛଡାଯାଇଥିବା ନେଇ ଚାଇଲ୍ଡଲାଇନ ରାୟଗଡ କେନ୍ଦ୍ର ସଂଯୋଜିକା କେ.ନୀଲାବେଣୀ ଜଣାଇଛନ୍ତି ।
ଉଦ୍ଧାର ୬ ଜଣଙ୍କ ମଧ୍ୟରୁ ୪ଜଣ ପଦ୍ମପୁର ବ୍ଳକ ଏବଂ ୨ କୋଲନରା ବ୍ଳକର ମୁକୁନ୍ଦପୁର ପଞ୍ଚାୟତର ବୋଲି ଜଣାପଡିଛି । ଏ ନେଇ ମିଳିଥିବା ସୂଚନା ଅନୁସାରେ କୋରବା ଏକ୍ସପ୍ରେସ ଟ୍ରେନ ଯୋଗେ ତାମିଲନାଡୁର ତ୍ରିପୁର ଯିବାକୁ ରାୟଗଡ ରେଳ ଷ୍ଟେସନରେ ୬ ନାବାଳିକା ଏବଂ ୨ ମହିଳା, ମୋଟ ୮ଜଣ ମିଶି ଟ୍ରେନକୁ ଅପେକ୍ଷା କରି ବସିଥିଲେ । ଏହି ସମୟରେ ଜଣେ ଗଣମାଧ୍ୟମର ପ୍ରତିନିଧି ନାବାଳିକାମାନଙ୍କୁ ଦେଖି ସ୍ଥାନୀୟ ଜିଆରପିଏସ ଏବଂ ଆରପିଏଫ ପୋଲିସଙ୍କୁ ଖବର ଦେଇଥିଲେ । ପରେ ଉଭୟ ଥାନାର ପୋଲିସ ପହଞ୍ଚି ପଚାରଉଚୁରା କରିବା ପରେ ସେମାନେ ତ୍ରିପୁର ସହରକୁ ଦାଦନ ଖଟିବାକୁ ଯାଉଥିବା କହିଥିଲେ । ସେପଟେ ପୋଲିସକୁ ଦେଖି ସେମାନଙ୍କୁ ନେଇ ଯାଉଥିବା ଦଲାଲଫେରାର ହୋଇଯାଇଥିବା ନାବାଳିକାମାନେ କହିଛନ୍ତି ।
ସମସ୍ତଙ୍କୁ ଉଦ୍ଧାର କରାଯାଇ ଜିଲ୍ଳା ଶ୍ରମ ବିଭାଗକୁ ଖବର ଦିଆଯିଯାଇଥିଲା । ପରେ ଅତିରିକ୍ତ ଜିଲ୍ଳା ଶ୍ରମ ଅଧିକାରୀ ଛୋଟରାଏ ଟୁଡୁ ଓ ଚାଇଲ୍ଡଲାଇନ କେନ୍ଦ୍ର ସଂଯୋଜିକା କେ.ନିଲାବେଣୀ ପହଞ୍ଚି ୬ ଜଣ ନାବାଳିକାଙ୍କୁ ଶିଶୁ କଲ୍ୟାଣ ସମିତିରେ ସମସ୍ତଙ୍କୁ ଉପସ୍ଥିତ କରାଇଥିଲେ । ଏହା ପରେ ଗାଡି ଯୋଗେ ତାଙ୍କ ଘରକୁ ପଠାଯାଇଥିବା ଜଣାପଡିଛି ।
ରାୟଗଡାରୁ ରଞ୍ଜନ ରଥ , ଇଟିଭି ଭାରତ