![undefined](https://s3.amazonaws.com/saranyu-test/etv-bharath-assests/images/ad.png)
ବାଉଁଶ ବତାର କାନ୍ଥ ଉପରେ ପଲିଥିନ ଛପର ଛାତ । ଭଙ୍ଗା ଦଦରା ଘରେ ଦିନରେ ସୂର୍ଯ୍ୟ କିରଣ ରାତିରେ ଜହ୍ନ ଆଲୁଅରେ ବିତୁଛି ଦିନ । ଏପରି ପରିବେଶରେ ରହୁଛନ୍ତି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ସୀଙ୍ଗରି ପଞ୍ଚାୟତ ଖାରଜୋଡା ଗାଁର ଅଙ୍ଗଦ ମହାନନ୍ଦିଆ। ତାଙ୍କର ଏପରି ଅବସ୍ଥାକୁ ଦେଖି ୨୦୧୬-୧୭ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗାଁରେ ଅନୁଷ୍ଠିତ ପଲ୍ଲୀ ସଭାରେ ତାଙ୍କୁ ଚୟନ କରଯାଇଥିଲା । ଫଳରେ ହିତାଧିକାରୀ ତାଲିକାରେ ତାଙ୍କ ନାମ ୧୦ ନମ୍ବରେ ରହିଛି । କିନ୍ତୁ ଦୁର୍ଭାଗ୍ୟର କଥା ସରକାରୀ ବାବୁଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅଙ୍ଗଦ ମହାନନ୍ଦିଆ, ପିତା ମାଚି ମହାନନ୍ଦିଆଙ୍କ ନାମରେ ଆସିଥିବା ଗୃହକୁ ଅନ୍ୟ ଜଣେ ଅଙ୍ଗଦ ମହାନନ୍ଦିଆ ପିତା ବୁଡୁ ମହାନନ୍ଦିଆଙ୍କୁ ଦିଆଯାଇଛି । ସେ ପ୍ରାୟ ଲକ୍ଷଟଙ୍କା ଉଠାଇ ଘର କାମ ସାରିବାକୁ ବସିଲାଣି ।
ପ୍ରକୃତରେ ନିୟମ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ବିଜୁ ପକାଘର ହେଉ ୪ ଟି କିସ୍ତିରେ ଘର ନିର୍ମାଣକୁ ଦେଖି ବିଲ୍ କରାଯାଇଥାଏ । ଏଠାରେ ପ୍ରଶ୍ନ ଉଠିଛି କେମିତି ପ୍ରକୃତ ହିତାଧିକାରୀ ପରିବର୍ତ୍ତେ ଅନ୍ୟ ଜଣଙ୍କ ଖାତାରେ ଟଙ୍କା ଆସୁଛି। ଏହି ବ୍ଲକରେ ୨୦୧୬-୧୭ ରେ ୫୫୪,୧୭-୧୮ ରେ ୪୦୦ ଓ ୧୮-୧୯ ରେ ୨୮୭ ସମେତ ଗତ ୩ ବର୍ଷ ମଧ୍ୟରେ ୧୨୪୧ ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ କରାଯାଇଛି ।
![undefined](https://s3.amazonaws.com/saranyu-test/etv-bharath-assests/images/ad.png)
ଦୁର୍ନୀତି ଅଭିଯୋଗ ହେଇଥିବା କେବଳ ସିଂହାରୀ ପଞ୍ଚାୟତରେ ୧୧୪ ଟି ଗୃହ ପ୍ରଦାନ କରାଯାଇଛି । ତେବେ ୨୦୧୬ ରୁ ୨୦୧୮ ମଧ୍ୟରେ ଏହି ବ୍ଲକରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏନେଇ କଲ୍ୟାଣସିଂହପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ଅନୁପ ପଣ୍ଡା ଘଟଣାକୁ ସ୍ଵୀକାର କରିବା ସହ ତଦନ୍ତ ଆରମ୍ଭ ହୋଇଛି । ଖୁବ ଶୀଘ୍ର ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ଅଙ୍ଗଦକୁ କିପରି ଘର ଖଣ୍ଡିଏ ଯୋଗାଇ ଦିଆଯିବ ସେ ନେଇ ଜିଲ୍ଲାପ୍ରଶାସନକୁ ସୁପାରିଶ କରାଯାଇଥିବା ସେ କହିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ