ରାୟଗଡା: କୋରୋନା ମୁକାବିଲା ପାଇଁ ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଛନ୍ତି ରାଜ୍ୟ ସରକାର । ଆଉ ସରପଞ୍ଚ ମଧ୍ୟ ଏହି କ୍ଷମତାର କରିଛନ୍ତି ପ୍ରୟୋଗ । ସବୁଆଡେ ଲକ ଡାଉନ କୋହଳ ହେବାରେ ଲାଗିଥିବା ବେଳେ ଜିଲ୍ଳାପାଳ କ୍ଷମତାକୁ ପ୍ରୟୋଗ କରି ସାପ୍ତାହିକ ହାଟକୁ ସଟଡାଉନ ଘୋଷଣା କରିଛନ୍ତି ରାୟଗଡା ଜିଲ୍ଲା ହାଟମୁନିଗୁଡାର ମହିଳା ସରପଞ୍ଚ ।
ରାଜ୍ୟରେ ରାୟଗଡ଼ା ଜିଲ୍ଲା ଛାଡି ୨୯ ଟି ଜିଲ୍ଲାକୁ ଛୁଇଁ ସାରିଛି କୋରୋନା । ସବୁଆଡେ ଦିନକୁ ଦିନ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ହେଲେ ରାୟଗଡ଼ା ଜିଲ୍ଲା ଏବେ ବି ଗ୍ରୀନ ଜୋନ ବଜାୟ ରଖିଛି । ସଂକ୍ରମଣ ବ୍ୟାପିବାରୁ ରୋକିବା ପାଇଁ ଏଠାକାର ପ୍ରମୁଖ ସାପ୍ତାହିକ ହାଟ ହେଉଛି ବିଷମକଟକ ବ୍ଲକର ହାଟମୁନିଗୁଡାକୁ 12 ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି ମହିଳା ସରପଞ୍ଚ।
ଏହି ହାଟ ଉପରେ ନିକଟସ୍ଥ କଳାହାଣ୍ଡି, କନ୍ଧମାଳ, କୋରାପୁଟ, ବଲାଙ୍ଗୀର ସମେତ ଆନ୍ଧ୍ର ପ୍ରଦେଶର ହଜାର ହଜାର ବ୍ୟବସାୟୀ ନିର୍ଭର କରିଥାନ୍ତି । ଏହିସବୁ ଅଞ୍ଚଳ ରେଡ଼ ଜୋନରେ ଥିବାରୁ ସଂକ୍ରମଣ ବ୍ୟାପିବା ଆଶଙ୍କା କରି ସରପଞ୍ଚ ଜିଲ୍ଳାପାଳ କ୍ଷମତା ପ୍ରୟୋଗ କରିବା ସହ ହାଟକୁ ସଟଡାଉନ ଘୋଷଣା କରିଛନ୍ତି । ସରପଞ୍ଚଙ୍କ ଏହି ପଦକ୍ଷେପକୁ ସ୍ବାଗତ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ