ରାୟଗଡା: ରାୟଗଡା ଜିଲ୍ଲାରେ ୨୭ରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ । ଏନେଇ ଏକ ବୈଠକ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ଚଳିତ ବର୍ଷ 14ଟି ଲେମ୍ପ ଓ ଏମ୍ପିସିଏସ ଦ୍ବାରା 83 ହଜାର 283 ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି । ତେବେ ଚଳିତ ବର୍ଷ ଜିଲ୍ଲାରେ ହୋଇଥିବା ଖରିଫ ଚାଷ ମଧ୍ୟରୁ 55 ହଜାର 113 ହେକ୍ଟର ଜମିରେ ଧାନ ଚାଷ ହୋଇଥିବାବେଳେ 2ଲକ୍ଷ 17 ହଜାର 243 ମେଟ୍ରିକ ଟନ ଧାନ ଉତ୍ପାଦନ ହେବାର ଆକଳନ କରାଯାଇଛି ।
ସେହିପରି ଧାନ ବିକ୍ରି ପାଇଁ 18ହଜାର 425 ଜଣ ଚାଷୀ ନାମ ପଞ୍ଜିକରଣ କରିଛନ୍ତି । ତେବେ ଚଳିତ ବର୍ଷ ଧାନ କିଣିବା ପାଇଁ ଜିଲ୍ଲାର 119ଟି ମିଲର ଭାଗ ନେବେ । ତେବେ ପ୍ରତ୍ୟେକ ମଣ୍ଡିରେ ଦୈନିକ ଚାଷୀଙ୍କ ଠାରୁ 2ହଜାରରୁ 8ହଜାର କୁଇଣ୍ଟାଲ ଧାନ କିଣିବାର ବ୍ୟବସ୍ଥା କରାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଏହି ବୈଠକରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଅଧ୍ୟକ୍ଷତା କରିଥିବାବେଳେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରାକା, ଗୁଣୁପୁର ଉପଜିଲ୍ଲାପାଳ, ରାୟଗଡା ଉପଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ, ଲେମ୍ପସ ଅଧିକାରୀ, ତହସିଲଦାର, ଚାଷୀ, ମିଲରମାନେ ପ୍ରମୁଖ ଉପସ୍ଥିତ ଥିଲେ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ