ରାୟଗଡା: ଆଦିବାସୀଙ୍କ ଡଙ୍ଗର ମୁଲକର ହଜିଯାଇଥିବା ଲାଉ ତୁମ୍ବା ଏବେ ନିଜ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛି । ଦିନ ଥିଲା ଯଦିଓ ଏହି ଲାଉ ଖାଇବା ଯୋଗ୍ୟ ନଥିଲା ତଥାପି ଏହାକୁ ଆଦିବାସୀ ସଂପ୍ରଦାୟର ନିଜର ନିତ୍ୟ କାମରେ ବ୍ୟବହାର କରୁଥିଲେ । ଲାଉର ଭିତର ଅଂଶକୁ ସଫା କରି ସେଥିରେ ପିଇବା ପାଣି ସହ ଖାଇବା ପାଇଁ ମାଣ୍ଡିଆରେ ପ୍ରସ୍ତୁତ ଜାଉ ନେବା ଆଣିବା କରୁଥିଲେ ।
ସେପଟେ ଲାଉ ତୁମ୍ବାରେ କୌଣସି ରୋଗପୋକ ଲାଗୁନଥିବା ବେଳେ ଅନେକ ଦିନ ପର୍ଯ୍ୟନ୍ତ ବିଭିନ୍ନ କିସମର ବିହନ ସାଇତି ରଖିବାରେ ଏହା ସହାୟକ ହେଉଥିଲା । ଏପରିକି ନୃତ୍ୟ ଗୀତପ୍ରିୟ ଆଦିବାସୀ ଏହା ଦ୍ଵାରା ନିର୍ମିତ ବାଦ୍ୟ ଯନ୍ତ୍ର ବହୁଳ ମାତ୍ରାରେ ବ୍ୟବହାର କରୁଥିଲେ । କିନ୍ତୁ ସମୟ ବଦଳିବା ସହ ପ୍ଲାଷ୍ଟିକ ବୋତଲ ବହୁଳ ପ୍ରଚଳନ ପରେ ଏହି ଲାଉ ତୁମ୍ବାର ବ୍ୟବହାରକୁ ଧୀରେ ଧୀରେ ଭୁଲିଗଲେ ଆଦିବାସୀ ସଂପ୍ରଦାୟ । ଆଉ ଆଦିବାସୀର ବାଡିରେ ଲାଉ ଫଳୁନି କି ଆଦିବାସୀଟିର ଅଣ୍ଟାର ଶୋଭା ବଢାଉ ନାହିଁ ଲାଉ ତୁମ୍ବା ।
ମୋଟା ମୋଟି ଭାବେ କହିବାକୁ ଗଲେ ପରିଚୟ ହଜି ଯାଇଛି ନିତ୍ୟବ୍ୟବହୃତ ଲାଉ ତୁମ୍ବାର । ଆଦିବାସୀଙ୍କ ନିତ୍ୟବ୍ୟବହୃତ ଲାଉ ତୁମ୍ବା ଏବେ ସମ୍ଭ୍ରାନ୍ତ ଶ୍ରେଣୀର ଡ୍ରଇଙ୍ଗରୁମର ଶୋଭା ବର୍ଦ୍ଧନ କରୁଥିବା ତୁମ୍ବା କ୍ରାଫ୍ଟରେ ପରିଣତ ହୋଇଛି । ହୁଏତ ଆଦିବାସୀଙ୍କ ବହୁଳ ବ୍ୟବହୃତ ପ୍ରକୃତି ଦତ୍ତ ଏହି ଲାଉତୁମ୍ବା ଭବିଷ୍ୟତର ଯୁବ ପିଢ଼ି ପାଇଁ ପାଲଟି ଯାଇଥାନ୍ତା ଇତିହାସର ପୃଷ୍ଟା ।
ଆବାହମାନ କାଳରୁ ଆଦିବାସୀ ମାନେ ବ୍ୟବହାର କରୁଥିବା ଲାଉ ତୁମ୍ବା । ଲାଉ ତୁମ୍ବାର ବହୁଳ ଵ୍ୟଵହାର ଲୋପ ପାଇ ଯାଉଥିବା ବେଳେ ଏବେ ତାକୁ ଜୀବନ୍ତ କରି ପ୍ରକୃତି ପ୍ରଦତ ଏହି ସାମଗ୍ରୀକୁ ନୂଆ ଦିଗ ଦେଇଛନ୍ତି ରାୟଗଡା ସହରର ବିଶିଷ୍ଟ ଶିଳ୍ପୀ ହିମାଂଶୁ ଶେଖର ପାଣ୍ଡିଆ । ବମ୍ବେ ଜେଜେ ସ୍କୁଲ ଅଫ୍ ଫାଇନ୍ ଆର୍ଟ ରେ ଅଧ୍ୟୟନ କରିଥିବା ଏହି ଶିଳ୍ପୀ ନିଜସ୍ବ ଉଦ୍ୟମରେ ବିଭିନ୍ନ କାରୁକାର୍ଯ୍ୟ କରିବାରେ ସକ୍ଷମ ହୋଇଛନ୍ତି ।
ଯାହାଫଳରେ ଘର ସାଜସଜ୍ୟାରେ ଏହି କଳାକୃତିର ଚାହିଦା ଯେତିକି ବୃଦ୍ଧି ପାଇବାରେ ଲାଗିଛି ସମପରିମାଣରେ ତୃଣମୂଳରେ ଆଦିବାସୀ ଏବଂ ତାପରେ ଯୁବଗୋଷ୍ଠୀ ସ୍ବାବଲମ୍ବୀ ହେବାରେ ସହାୟକ ହୋଇଛି। ଯେଉଁ ଲାଉ ତୁମ୍ବା ସୀମିତ ସଂଖ୍ୟାରେ ଘରେ ବ୍ୟବହାର ହେଉଥିଲା, ସେହି ଲାଉ ତୁମ୍ବାକୁ ଏବେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ଦେଶରେ ଏହି ତୁମ୍ବା କାରୁକାର୍ଯ୍ୟର ବିକଳ୍ପ ନଥିବା ଯୋଗୁଁ ଦେଶ ବିଦେଶରେ ଏହି ସାମଗ୍ରୀର ଚାହିଦା ଧିରେ ଧିରେ ବଢିବାରେ ଲାଗିଛି । ବିଶେଷ କରି ଏହି ଲାଉ ତୁମ୍ବା ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡା ଜିଲ୍ଲାର ବିଭିନ୍ନ ଆଦିବାସୀ ଅଞ୍ଚଳରେ ବହୁଳ ପରିମାଣରେ ଜଙ୍ଗଲରେ ଦେଖାଯାଇଥାଏ । ଲାଉର ଆକାର ଦେଖି ଆଦିବାସୀଙ୍କ ଠାରୁ କିଣିବାକୁ ପଡିଥାଏ । ପରେ ଏହି କଳା ପାଇଁ ତାଲିମ ନେଉଥିବା ଆଦିବାସୀ ଯୁବତୀମାନେ ଉକ୍ତ ଲାଉ ତୁମ୍ବାକୁ ପାଣିରେ ସଫା କରିବା ସହ ଶୁଖାଇଥାନ୍ତି ।
ଏହାପରେ ବାଲି କାଗଜରେ ଲାଉ ତୁମ୍ବାକୁ ସଫା କରାଯାଇ ବିଭିନ୍ନ କଳାକୃତିର ଚିତ୍ର ଅଙ୍କାଯାଇ ପରେ କଟାଯାଇଥାଏ । ଗୁରୁତ୍ବପୂର୍ଣ୍ଣ କଥା ହେଲା ଲାଉର ଆକାରକୁ ଦେଖି ହିଁ ବିଭିନ୍ନ ସାମଗ୍ରୀ ତିଆରି କରାଯାଇଥାଏ । ବର୍ତ୍ତମାନ ଏହି ଶିଳ୍ପୀ ମାନେ ଲାଉ ତୁମ୍ବାରେ ବିଭିନ୍ନ ଫୁଲ ସହ ପଶୁପକ୍ଷୀ, ୱାଲ୍ ଡେକରେସନ୍, ଲ୍ୟାମ୍ପ୍, ମୂର୍ତ୍ତୀ ସହ ପ୍ରକୃତିଭରା ସାମଗ୍ରୀ ତିଆରି କରିପାରିଛନ୍ତି । ସବୁଠାରୁ ବଡ କଥା ଲାଉ ତୁମ୍ବାରେ କାରୁକାର୍ଯ୍ୟ ତିଆରି ହେବା ପରେ ବର୍ଷ ବର୍ଷ ଧରି ନଷ୍ଟ ହୋଇନଥାଏ ।
ଭାରତରେ ଏହି କାରୁକାର୍ଯ୍ୟର କୌଣସି ବିକଳ୍ପ ପ୍ରସ୍ତୁତି ନଥିବା ଯୋଗୁଁ ଦିଲ୍ଲୀ, କୋଲକାତା, ବମ୍ବେ, ବାଙ୍ଗାଲୋର୍ ଓ ଭୁବନେଶ୍ବରରେ ଏହାର ବେସ ଚାହିଦା ରହିଥିବା ବେଳେ ବଡବଡିଆଙ୍କ ବୈଠକ ଘରେ ଶୋଭା ବଢାଉଛି ଦିନେ ସମସ୍ତଙ୍କର ଅଦରକାରୀ ଥିବା ଜଙ୍ଗଲି ଲାଉ ତୁମ୍ବା । ଏବେ ଏହି ଲାଉ ତୁମ୍ବା ବ୍ୟବସାୟର ଏକ ପ୍ରମୁଖ ମାଧ୍ୟମ ପାଲଟିଛି । ତେବେ ଏହି ତୁମ୍ବା କଳାକୃତିର ଦେଶ ବିଦେଶରେ ଚାହିଦା ବଢିଲେ ଆଦିବାସୀଙ୍କ ଆର୍ଥିକ ମାନଦଣ୍ଡରେ ସୁଧାର ଆସିବା ସହ ରୋଜଗାରର ବାଟ ଫିଟିବ ଏଥିଳର ସନ୍ଦେହ ନହିଁ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ