ରାୟଗଡା: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାୟଗଡା ବିଜେପି ପକ୍ଷରୁ ଆଜି ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି । ଏଥିରେ ଗତ ଦିନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ ଯୋଜନା ବିଷୟରେ ଉଲ୍ଲେଖ ରହିଛି । ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନରେ ଜିତିଲେ ଭାରତୀୟ ଜନତା ପାର୍ଟି ଅଞ୍ଚଳବାସୀଙ୍କ ପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ନେଇ ପ୍ରତିଶୃତି ଦେଇଛି ।
ଏଥିରେ ସାଢେ ଚାରିକୋଟି ଓଡିଶାବାସୀ ଆମ ନିଜର ବୋଲି ଉଲ୍ଲେଖ ରହିଛି | ଏଥିରେ ପ୍ରଧାନମନ୍ତ୍ରୀ ଆବାସ, ପାଇଖାନା, ନିର୍ବାଚିତ ପ୍ରତିନିଧିଙ୍କ ମାଧ୍ୟମରେ ଗ୍ରାମସଭା ଆୟୋଜନ କରି ଅଂଚଳର ବିକାଶ, ପଞ୍ଚାୟତ ସ୍ତରରେ ଫୁଡ କର୍ପୋରେସନ ଜରିଆରେ ଧାନ ମଣ୍ଡି, ରାସନ କାର୍ଡ, ଅନୁଦାନ ରାଶି ସିଧାସଳଖ ପଞ୍ଚାୟତ ପ୍ରତିନିଧିଙ୍କ ପାଖକୁ ପହଞ୍ଚାଇବା, ସଫେଇ କାର୍ଯ୍ୟକ୍ରମ, ଅଙ୍ଗନବାଡି, ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ଏବଂ ଉତ୍ତମମାନର ପୋଷାକ ବଣ୍ଟନ ଆଜି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ନେଇ ଉଲ୍ଲେଖ ରହିଛି ।
ଏହା ସହ ବିଜେଡି ସରକାର ଦୁର୍ନୀତି ନେଇ ମଧ୍ୟ ଏଥିରେ ଉଲ୍ଲେଖ ରହିଛି । ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ବହୁ ହିତାଧିକାରୀ ରହିଥିବା ବେଳେ ଜିଲ୍ଲା ପାଇଁ ଗୋଟିଏ ବି ପ୍ରସ୍ତାବ କେନ୍ଦ୍ରକୁ ଯାଇନଥିବା ଅତି ଆଶ୍ଚର୍ଯ୍ୟଜନକ ବୋଲି ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହ ପ୍ରସ୍ତାବ ଦେବାକୁ ଅନୁରୋଧ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଆଜି ଯାଏଁ ନିରବ ରହିଥିବା ପ୍ରକାଶ କରିଛନ୍ତି ପଟ୍ଟନାୟକ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ