କେନ୍ଦ୍ରାପଡା: ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଘରୋଇ ହିଂସା ମାମଲାକୁ ନେଇ ରାଜନୀତି ସରଗରମ । ଘଟଣା ସାମ୍ନାକୁ ଆସିବା ପରେ ବିଜେପି ଏହାକୁ ପ୍ରମୁଖ ମୁଦ୍ଦା କରି ରାସ୍ତାକୁ ଓହ୍ଲାଇଛି ।
ଶାସକ ଦଳର ସାଂସଦଙ୍କ ବିରୁଦ୍ଧରେ ଘରୋଇ ହିଂସା ଓ ନିର୍ଯ୍ୟାତନାର ସଙ୍ଗୀନ ଅଭିଯୋଗ ଖୋଦ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଆଣିଛନ୍ତି । ଫଳରେ ବିଜେପି ମହିଳା ମୋର୍ଚ୍ଚା ସରକାରଙ୍କ ଦ୍ବାରା ପ୍ରଚାର କରାଯାଉଥିବା ନାରୀର ସମ୍ମାନ ଉପରେ ପ୍ରଶ୍ନ ଉଠାଇଛନ୍ତି ।
ମଙ୍ଗଳବାର ରାୟଗଡା ମହିଳା ମୋର୍ଚ୍ଚା ସଦସ୍ୟ ସଭାନେତ୍ରୀ ଗୌରୀ ମାଣ୍ଡାଙ୍ଗିଙ୍କ ନେତୃତ୍ବରେ ସାଂସଦ ଅନୁଭବଙ୍କ ବିରୋଧରେ କପିଳାସ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ନାରାବାଜି ଓ ଇସ୍ତଫା ଦାବି ସହ, ବିଜେପି ମହିଳା କର୍ମୀ ମାନେ ସାଂସଦଙ୍କ କୁଶ ପୁତଳିକା ଦାହ କରିଛନ୍ତି । ଏଥିସହିତ ବର୍ଷା ପ୍ରିୟଦର୍ଶନୀଙ୍କୁ ନ୍ୟାୟ ନ ମିଳିବା ଯାଏଁ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ ସାରା ରାଜ୍ୟରେ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ