ରାୟଗଡା: ପୁରୀ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେବା ଘଟଣାରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଅଡୁଆ ବଢିବାରେ ଲାଗିଛି । ବିଭିନ୍ନ ଆଡୁ ତାଙ୍କୁ ତୀବ୍ର ବିରୋଧ କରାଯାଉଥିବାବେଳେ ରାସ୍ତାକୁ ଓହ୍ଳାଇଛି ରାୟଗଡା ଜିଲ୍ଲା ବିଜେଡି । ରାୟଗଡା ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଲେଖାଶ୍ରୀଙ୍କର ଏପରି କଟୁ ମନ୍ତବ୍ୟ ରାଜ୍ୟବାସୀଙ୍କୁ ମର୍ମାହାତ କରିଥିବା କହିଛି ଦଳ । ତେଣୁ ତାଙ୍କର ଏପରି ମନ୍ତବ୍ୟକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କହିଛି ଜିଲ୍ଲା ଯୁବ ବିଜେଡି ।
ତେଣୁ ସେ ପୁରୀ ବଡଦାଣ୍ଡରେ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଦଳ । ତାଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବା ପାଇଁ ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ମଧ୍ୟ ଦିଆଯାଇଛି ।
2019 ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ପୁରୀରୁ ନିର୍ବାଚନ ଲଢିବା ପରେ ଲୋକେ ପୁରୀ ଓଡିଶାରେ ଥିବା ଜାଣିବାକୁ ପାଇଲେ ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ ଲେଖାଶ୍ରୀ ସାମନ୍ତସିଂହାର । ପରେ ଏଥିପାଇଁ ତାଙ୍କ ପ୍ରତି ବିଭିନ୍ନ ଆଡୁ ବିରୋଧ ତେଜିବାରେ ଲାଗିଛି ।
ରାୟଗ଼ଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ