ରାୟଗଡା: ପ୍ରତିକ୍ଷାରେ ପଡିଲା ପୂର୍ଣ୍ଣଚ୍ଛେଦ । କେନ୍ଦ୍ରସରକାରଙ୍କ ପୂର୍ବ ଘୋଷଣା ମୁତାବକ ରାୟଗଡରେ ରେଳ ଡିଭିଜନ ପ୍ରତଷ୍ଠା ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛି ରେଳ ମନ୍ତ୍ରଣାଳୟ । ଏ ନେଇ ରାଜନେତାଠୁ ଆରମ୍ଭ କରି ବୁଦ୍ଧିଜୀବୀ ସମସ୍ତେ ଖୁସିରେ ମସଗୁଲ ।
ଦୀର୍ଘଦିନରୁ ରାୟଗଡାରେ ଏକ ରେଳ ଡିଭିଜନ ପ୍ରତିଷ୍ଠା କରିବାକୁ ଦାବି ହୋଇ ଆସୁଥିଲା । ଶେଷରେ ଏଥିରେ ମୋହର ମାରିଛି କେନ୍ଦ୍ର । ଶୁକ୍ରବାର ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହି ଡିଭିଜନ ପୂର୍ବତଟ ରେଳବାଇ ଜୋନ ଅଧୀନରେ ରହିଛି । ଏହା ଦ୍ୱାରା କନ୍ଧମାଳ,କଳାହାଣ୍ଡି, ରାୟଗଡା ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲା ମଧ୍ୟ ଉପକୃତ ହୋଇପାରିବେ । ଏପଟେ ଡିଭିଜନ ପାଇଁ ତୁରନ୍ତ ସର୍ଭେ ସାଙ୍ଗକୁ ଜାଗା ଚିହ୍ନଟ ଲାଗି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦାବି ହୋଇଛି ।
ତେବେ ରାୟଗଡା ଭଳି ଏକ ଅନୁନ୍ନତ ଜିଲ୍ଲାରେ ରେଲୱେ ଜୋନ ପ୍ରତିଷ୍ଠା, ଜିଲ୍ଲା ପାଇଁ ଏକ ବଡ ଉପଲବ୍ଧି । ମୋଦି 2.0ର ଏହି ଉପହାର ବିକାଶ ସହ ରୋଜଗାର ଦେବ ବୋଲି ଜନତା ଆଶାବାଦୀ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ