ରାୟଗଡା: ଖରା ସାଙ୍ଗକୁ ତାଳ ଦେଇ ବଢୁଛି ଜଳ କଷ୍ଟ । ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ଜଳ କଷ୍ଟ ଖବର ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବାବେଳେ ଏଥର ଆସିଛି ରାୟଗଡା ଜିଲ୍ଲାରୁ । ଗତ କିଛି ଦିନ ତଳେ ଆମେ ଦେଖାଇଥିଲୁ ରାୟଗଡାର ସୁଇପର କଲୋନୀ ବାସିନ୍ଦା କିପରି ଗୋଳିଆ ପାଣି ପିଉଛନ୍ତି । ଏଥର ମଧ୍ୟ ଜଳକଷ୍ଟ ସାମ୍ନାକୁ ଆସିଛି । କିନ୍ତୁ ଗୋଳିଆ ପାଣି ନୁହେଁ, ପାନୀୟ ଜଳର ବ୍ୟବସ୍ଥା ହିଁ ଏଠାରେ ନାହିଁ । ଆମେ କହୁଛୁ ରାୟଗଡା ଜିଲ୍ଲା ଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ରାଇକଣା ଗାଁ କଥା ।
ଡହଡହ ଖରାକୁ ନାହିଁ ଖାତିର୍ । ରାତି ପାହିଲେ ଏଠି ଗୋଟିଏ ଚିନ୍ତା । କାଖରେ ମାଠିଆ, ମୁଣ୍ଡରେ ଗରା, ହାତରେ ବାଲଟି ଧରି ବାହାରି ପଡନ୍ତି ସଭିଏଁ ପାଣି ସଂଗ୍ରହ ପାଇଁ । ମାଇଲ ମାଇଲ ବାଟ ଚାଲିଲେ ମିଳେ ପାଣି ମୁନ୍ଦାଏ ।
ରାଇକଣା ଗାଁରେ ରୁହନ୍ତି ପ୍ରାୟ 2ଶହ ପରିବାର । ଏତେ ସଂଖ୍ୟକ ଲୋକଙ୍କ ପାଇଁ ରହିଛି ଗୋଟିଏ ମାତ୍ର ନଳକୂପ । ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ । ତେଣୁ ପାଣିକୁ ନେଇ ଏଠାରେ ମହିଳାଙ୍କ ମଧ୍ୟରେ ନିଇତି ଚାଲେ ମହାଭାରତ । ଅନ୍ୟପଟେ ଗୋଟିଏ ନଳକୂପ ଲୋକଙ୍କ ଶୋଷ ମେଣ୍ଟାଇ ପାରୁ ନଥିବାରୁ ବାଧ୍ୟ ହୋଇ ଲୋକେ ନାଳ ଉପରେ ନିର୍ଭର କରନ୍ତି ।
ନାଳ ପାଣି ପିଇ ଏଠାକାର ଲୋକେ ଜଳବାହିତ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ମଧ୍ୟ ହୋଇଛି । ଏପରିକି ଜଳ ସମସ୍ୟା ନେଇ ପ୍ରଶାସନକୁ ଜଣାଇଛନ୍ତି ଲୋକେ । ହେଲେ ଅବସ୍ଥା ଯଥା ପୂର୍ବଂ ତଥା ପରଂ । ତେବେ ଗାଁଲୋକଙ୍କ ପାନୀୟ ଜଳ ସମସ୍ୟା ନେଇ ଆମେ ଭେଟିଥିଲୁ ଅତିରିକ୍ତ ଜିଲ୍ଲାପାଳଙ୍କୁ । ଆମ ଠାରୁ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ତୁରନ୍ତ ଜଳ ସମସ୍ୟା ଦୂର କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ