ରାୟଗଡା: ଜିଲ୍ଲାରେ ଆରମ୍ଭ ହେଲା ରବିଧାନ ସଂଗ୍ରହ। ଖରିଫ ଧାନ ବିକ୍ରି ସମୟରେ ଚାଷୀ ପଞ୍ଜିକରଣକୁ ନେଇ ହଟହଟା ହୋଇଥିବାବେଳେ ବର୍ତ୍ତମାନ ରବି ଫସଲ ବିକ୍ରି ସମୟରେ ପୁଣି ଟୋକୋନକୁ ନେଇ ଏକ ସମସ୍ୟା ଦେଖାଦେଇଛି । ଏନେଇ ଚାଷୀର ଚିନ୍ତା ବଢିଛି । ଚାଷୀଙ୍କୁ ଜମି ଅନୁପାତରେ ଟୋକୋନ ମିଳିନଥିବାରୁ ରବି ଧାନ ବିକ୍ରୟ ନେଇ ଦେଖାଦେଇଛି ସନ୍ଦେହ।
ରାୟଗଡା ଜିଲ୍ଲାରେ ଖରିଫ ମଣ୍ଡି ସମୟରେ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଯୋଗୁଁ ବର୍ଷାରେ ୨ ମାସ ଧାନ ପଡ଼ି ରହିବା ପରେ ବିକ୍ରି ହୋଇଥିଲା। ଚଳିତ ରବି ଋତୁରେ ରାୟଗଡ଼ା ଜିଲ୍ଲାର ୩୫୦୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ଆଜି ରାୟଗଡା ଆରଏମସି ୟାର୍ଡ ପରିସରରେ ଜିଲ୍ଲା ସ୍ତରୀୟ ରବି ଧାନ ସଂଗ୍ରହ ପାଇଁ ମଣ୍ଡି ଉଦଘାଟିତ ହୋଇଯାଇଛି । ରାୟଗଡା ଏସିଏସଓ ମୂରଲୀ କୃଷ୍ଣା ଆନୁଷ୍ଠାନିକ ଭାବେ ମଣ୍ଡି ଉଦଘାଟନ କରିଥିବା ବେଳେ, ରାୟଗଡା ଲ୍ୟାମ୍ପର ପରିଚାଳନା ନିର୍ଦ୍ଦେଶକ, ମିଲ ମାଲିକ, ଅଗ୍ରଣୀ ଚାଷୀ ପ୍ରମୁଖ ଉପସ୍ଥିତରେ ପ୍ରଥମ ଦିନ ତିନିଜଣ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଇଛି ।
ଜିଲ୍ଳାରେ 2221ଜଣ ଚାଷୀ ରବିଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିଥିବା ବେଳେ 13ଟି ଲ୍ୟାମ୍ପ ଜରିଆରେ 52,239 କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷଧାର୍ଯ୍ୟ କରୀଯାଇଛି ।
ରାୟଗଡାରୁ ରଞ୍ଜନକୁମାର ରଥ,ଇଟିଭି ଭାରତ