ରାୟଗଡା: ଜିଲ୍ଲାରେ 72ତମ ଜିଲ୍ଲା ପରିଷଦ ବୈଠକ ଶୁକ୍ରବାର ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ତେବେ ସାଂସଦ ପାଣ୍ଠିରୁ ସଠିକ୍ ରୂପେ ଟଙ୍କା ଖର୍ଚ୍ଚ ନହେଉଥିବା ପ୍ରସଙ୍ଗରେ ବୈଠକରେ ପ୍ରଶ୍ନ ଉଠିଥିବା ସୂଚନା ମିଳିଛି ।
ବୈଠକ ଆରମ୍ଭରେ ଜିଲ୍ଲାର ମୌଳିକ ସମସ୍ୟା ସଂମ୍ପର୍କରେ ଆଲୋଚନା କରାଯିବା ସହିତ ରାଜ୍ୟ ସରକାର ଏଥିନେଇ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂମ୍ପର୍କରେ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ସଭାରେ ଆଲୋଚନା କରିଥିଲେ । ତେବେ ଏହି ଆଲୋଚନା ସମୟରେ କୋରାପୁଟ ଲୋକସଭା ସାଂସଦ ପାଣ୍ଠିରୁ ସଠିକ୍ ରୂପେ ଟଙ୍କା ଖର୍ଚ୍ଚ ନହେଉଥିବା ଓ ଏଥିନେଇ ଜିଲାପ୍ରଶାସନ ଦୃଷ୍ଟି ଦେଉନଥିବା କହି ସଭାରେ କ୍ଷୋଭ ପ୍ରକାଶ କରିଥିଲେ ସାଂସଦ ସପ୍ତଗିରି ଉଲ୍ଲାକା ।
ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସାଂସଦ ପାଣ୍ଠି ବିନିଯୋଗ ନହୋଇ ପଡ଼ିରହିଥିବା ପ୍ରସଙ୍ଗରେ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଏପରିକି ପୂର୍ବତନ ସାଂସଦଙ୍କ ନିଜ ପାଣ୍ଠି ଖର୍ଚ୍ଚ ହୋଇ ନପାରି ତାଙ୍କର ସାଂସଦ ପାଣ୍ଠିରୁ ୧୧ କୋଟି ଟଙ୍କା ସରକାରଙ୍କ ନିକଟକୁ ଫେରିଯାଇଥିବା କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା ପ୍ରକାଶ କରିଛନ୍ତି । ସାଂସଦଙ୍କ ପାଣ୍ଠି ଯୋଗାଣରେ ବୈଷୟିକ ତୃଟି ରହିଛି ଏଣୁ ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ । ତେବେ ଏହି ସମସ୍ୟା ସଂପର୍କରେ ସଂସଦଙ୍କ ସହ ଆଲୋଚନା କରାଯାଇ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ରାୟଗଡ଼ା ଜିଲ୍ଲାପାଳ ।
ଏହି ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା । ବୈଠକରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା, ରାଜ୍ୟସଭା ସାଂସଦ ଏନ ଭାଷ୍କର ରାଓ, ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧିର ଦାଶ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲିଙ୍କ ସମେତ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗୋ ପ୍ରମୁଖ ବୈଠକରେ ଉପସ୍ଥିତ ରହିଥିଲେ ।
ରାୟଗଡାରୁ ରଞ୍ଜନ କୁମାର ନାଥ, ଇଟିଭି ଭାରତ