ରାୟଗଡା: ସୀମାରେ ମାଓ ହିଂସା ପରେ ବଡ ଧରଣର ଅପରେସନ ପାଇଁ ଗଲେ ଯବାନ । ଅଳ୍ପ ଦିନର ବ୍ୟବଧାନରେ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଦୁଇଟି ବଡ ଧରଣର ମାଓ ହିଂସା ପରେ ତତ୍ପର ହୋଇ ଉଠିଛି ରାୟଗଡା ପୋଲିସ । ରାୟଗଡା ଜିଲ୍ଲା ଭିତରେ ମାଓବାଦୀ ହିଂସା ଏଡାଇବା ପାଇଁ ଯବାନଙ୍କ ପକ୍ଷରୁ ଆରମ୍ଭ ହୋଇଛି ଏକ ବଡଧରଣର ଅପରେସନ୍ ।
ଆଜି ଠାରୁ ଏହି ଅପରେସନ ଆରମ୍ଭ ହୋଇଥିବାବେଳେ ପଞ୍ଚାୟତ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ସୂଚନା ଦେଇଛନ୍ତି ରାୟଗଡା ଏସପି । ପଞ୍ଚାୟତ ନିର୍ବାଚନରେ ହିଂସାକାଣ୍ଡ ଘଟାଇବା ଲକ୍ଷ୍ୟରେ ମାଓବାଦୀ ରାୟଗଡା, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ଟାର୍ଗେଟ କରିଛନ୍ତି । ଏହି ୩ ଜିଲ୍ଲାର ସୀମାନ୍ତରେ ମାଓବାଦୀଙ୍କ ଭିନ୍ନ ଭିନ୍ନ ଟିମ ଘୁରି ବୁଲିବା ସହ ପଞ୍ଚାୟତ ନିର୍ବାଚନକୁ ବିଫଳ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ଗୁଇନ୍ଦା ସୂଚନା ଦେବା ପରେ ଆରମ୍ଭ ହୋଇଛି ଏହି ଅପରେସନ ।
ଏସଓଜି,ଡିଭିଏଫ, ବିଏସଏଫ ଏବଂ ସିଆରପିଏଫ ଯବାନଙ୍କୁ ଆଜି ଠାରୁ କୁମ୍ବିଂ ଅପରେସନ ନିୟୋଜିତ କରାଯାଇଛି । ରାୟଗଡା ଜିଲ୍ଲା ସୀମାକୁ ଲାଗିଥିବା କଳାହାଣ୍ଡି ଓ କନ୍ଧମାଳ ଅଞ୍ଚଳରେ ଜୋରଦାର ଅପରେସନ ଆରମ୍ଭ କରାଯାଇଛି । ବ୍ୟାପକ ଫୋର୍ସ ଆଜି ସେହି ଅଞ୍ଚଳକୁ ଯାଇଛନ୍ତି ।
ଭିନ୍ନ ଭିନ୍ନ ରୁଟରେ ଯାଇ କୁମ୍ବିଂ ଅପରେସନ ଚାଲୁଥିବା ଜଣାପଡିଛି । ମୁଖ୍ୟତଃ ନିୟମଗିରି ପାହାଡ ଅଞ୍ଚଳରେ ଅଧିକ ଫୋର୍ସ ନିୟୋଜିତ ହୋଇଛନ୍ତି । କାରଣ ସୀମାନ୍ତ କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ମାଓବାଦୀ ହିଂସାକାଣ୍ଡ ଘଟାଇ ନିୟମଗିରି ପାହାଡକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରୁଛନ୍ତି ବୋଲି ସୂଚନା ରହିଛି ।
ଏପଟେ ଆସନ୍ତା ୧୬ ତାରିଖରେ ତ୍ରୀସ୍ତରୀୟ ପଞ୍ଚୟତ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ରାୟଗଡା ଜିଲ୍ଲାର ସର୍ବାଧିକ ମାଓବାଦୀ ପ୍ରବଣ ଅଞ୍ଚଳ ଚନ୍ଦ୍ରପୁର, ବିଷମକଟକ ଓ ମୁନିଗୁଡା ବ୍ଳକରେ ଏହା ଅନୁଷ୍ଟିତ ହେବ । ଏଣୁ ଏହି ୩ ବ୍ଳକରେ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ କରାଇବା ପୁଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ପାଲଟିଛି । ମାଓବାଦୀ ବିଭିନ୍ନ ସ୍ଥାନରେ ଆଇଡି ଏବଂ ପ୍ରେସର ବୋମା ଖଞ୍ଜିଥିବା ଯୋଗୁଁ ନିର୍ବାଚନ ପୁଲିଂ ଟିମ ଟାର୍ଗେଟ ହେବାର ସମ୍ଭାବନାକୁ ଏଡାଇ ହୋଇ ପାରୁନାହିଁ ।
ତେବେ ୧୬ ତାରିଖ ପୂର୍ବରୁ ମାଓବାଦୀଙ୍କୁ ଅପହଞ୍ଚ ଇଲାକା ଆଡକୁ ପଠାଇବା ପାଇଁ ଏହି ଅପରେସନ କରାଯାଉଛି । ଏଥିସହ ନିର୍ବିଘ୍ନରେ ନିର୍ବାଚନ କରିବା ପାଇଁ ଉଦ୍ୟମ ଜାରି ରହିଥିବା ଏସପି ବିବେକାନନ୍ଦ ଶର୍ମା କହିଛନ୍ତି । ସେହିଭଳି ବିଭିନ୍ନ ସ୍ପର୍ଶକାତର ଅଞ୍ଚଳରେ ମାଓବାଦୀ ବୋମା ଖଞ୍ଜିଥିବା ସମ୍ଭାବନା ରହିଥିବାରୁ ନିୟମିତ ଭାବେ ବୋମା ନିଷ୍କ୍ରିୟକାରୀ ଦଳ ଅନୁସନ୍ଧାନ କରିବା ସହ ତାହା ନିଷ୍କ୍ରିୟ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ଏସପି ସୂଚନା ଦେଇଛନ୍ତି ।
ସେହିପରି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ମାଓ ଖବର ସଂଗ୍ରହ କରିବାକୁ ଯିବା ସମୟରେ ସତର୍କ ରହିବା ପାଇଁ କହିଛନ୍ତି ଏସପି । ଖବର ସଂଗ୍ରହ ପାଇଁ ଯିବାବେଳେ ହଠାତ କୌଣସି ସ୍ଥାନକୁ ନଯିବା ସହ ଦୂରତା ବଜାୟ ରଖି ଖବର ସଂଗ୍ରହ କରିବାକୁ ସେ କହିଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ