ରାୟଗଡ଼ା: କାଶୀପୁର ବ୍ଲକରେ ବାଟ ହୁଡିଛି ବିକାଶ । ଅଭିଶପ୍ତ ହୋଇଛି ଗଡରାମୁହିଁ ଗାଁ । ଅପହଞ୍ଚ ହୋଇଛି ସରକାରୀ ଯୋଜନା । ଯୁଗଯୁଗରୁ ପ୍ରକୃତିକୁ ଧରି ଜୀଇଁ ଆସୁଥିବା ଗାଁ ଲୋକେ କେବଳ ଲୁହ ଗଡାଇ ଚାଲିଛନ୍ତି । ଗାଁରେ ମୌଳିକ ସୁବିଧା ନାହିଁ । ତଥାପି ପୁରୁଷ ପୁରୁଷର ଭିଟାମାଟି ଛାଡିପାରୁ ନାହାନ୍ତି ଲୋକେ । କାଶୀପୁର ବ୍ଲକର ଏଭଳି ଏକ ଗାଁ ହେଉଛି ଗଡରାମୁହିଁ ।
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଗୋଡିବାଲି ପଞ୍ଚାୟତ ଅନ୍ତର୍ଗତ ଗଡରାମୁହିଁ ଗାଁ ସତେ ଯେମିତି ଅଭିଶପ୍ତ ପାଲଟିଯାଇଛି । ଏଠି ବସବାସ କରୁଥିବା ଲୋକେ ବଞ୍ଚିବା ପାଇଁ ଦିନରାତି ସଙ୍ଘର୍ଷ କରିଚାଲିଛନ୍ତି । ଗାଁ ଲୋକଙ୍କ ପାଇଁ ସାଧାରଣ ମୌଳିକ ସୁବିଧା ନାହିଁ । ଯାତାୟାତ ପାଇଁ ଦୁର୍ଗମ ଇଲକାର ଗାଁରେ ପଥୁରିଆ ରାସ୍ତା ଭରସା ପାଲଟିଛି । ଏହି ଗାଁରେ ଯୋଗାଯୋଗ ପାଇଁ ନା ରାସ୍ତାଘାଟର ସୁବିଧା ଅଛି ନା ପିଇବା ପାଣିର ବ୍ୟବସ୍ଥା । ମୁନ୍ଦାଏଁ ପାଣି ପାଇଁ ଡହଳ ବିକଳ ଏଠି ଜୀବନ । ବିକାଶର ନାରା ସତେ ଯେପରି ଗାଁରେ ପହଞ୍ଚି ପାରିନାହିଁ । କେଉଁ ଆଦିମ କାଳରୁ ଗଢି ଉଠିଥିବା ଗଡରାମୁହିଁ ଗାଁରେ ଲୋକେ ଟୋପାଏ ସ୍ଵଚ୍ଛ ପାଣି ସାଙ୍ଗକୁ ନିତି ଦିନିଆ ରାସ୍ତା ଖଣ୍ଡିଏ ପାଇଁ ଡହଳ ବିକଳ ହେଉଛନ୍ତି ।
ପାହାଡି ଉପତ୍ୟକାରେ ଥିବା ଏହି ଗାଁରେ ଗୋଟିଏ ନଳକୂପ ଅଛି । କିନ୍ତୁ ଏଥିରୁ ଭଲ ପାଣି ବାହାରୁ ନଥିବାବେଳେ ଘଣ୍ଟାଏ ମାରିଲେ ହାଣ୍ଡିଏ ପାଣି ବାହାରୁଥିବା ଅଭିଯୋଗ ହୋଇଛି । ପୁଣି ଏହା ଥରେ ବିଗିଡି ଗଲେ ସଜାଡିବାକୁ ମାସ ମାସ ସମୟ ଲାଗିଯାଉଛି । ଫଳରେ ଗାଁ ନିକଟ ଦେଇ ବୋହିଯାଉଥିବା ଝରଣା ପାଣି ହିଁ ଗ୍ରାମବାସୀଙ୍କର ଏକ ମାତ୍ର ଭରସା । ସ୍ଥାୟୀ ରାସ୍ତା ନଥିବା ଯୋଗୁଁ ଗାଁକୁ ଆସିବାକୁ ହେଲେ ଏମାନଙ୍କୁ ମାଟି ରାସ୍ତା ସହ ନଦୀ ଡେଇଁ ଆସିବାକୁ ପଡୁଛି । ଖରାଦିନେ ଜେନତେଣ ପ୍ରକାରେ ଏହି ନଦୀ ଡେଇଁ ତେଲ ଲୁଣ ଦୁନିଆ ଚାଲୁଥିବାବେଳେ ବର୍ଷା ଦିନ ଆସିଲେ ଗାଁ ଆସିବା କିମ୍ବା ଗାଁରୁ ବାହାରିବା ସମ୍ଭବ ହୋଇ ପାରୁନି । ଯେଉଁଠି ପାଣି ଓ ରାସ୍ତା ନାହିଁ ସେଠାରେ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ଦିବାସ୍ବପ୍ନ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ସ୍ବାସ୍ଥ୍ୟ ସେବା ଭଗବାନଙ୍କ ଭରସାରେ ଚାଲିଛି । ସାତ ସପନ ପାଲଟିଛି ଗାଁକୁ ଆମ୍ବୁଲାନ୍ସ ସେବା । ଏହି ତମାମ ସମସ୍ୟା ଥାଇ ମଧ୍ୟ ସରକାରଙ୍କ ମାନଚିତ୍ରରେ କାଶୀପୁର ବ୍ଲକ ଶିଳ୍ପ ସମୃଦ୍ଧ ମାନ୍ୟତା ହାସଲ କରିଛି ।
ଇଟିଭି ଭାରତ, ରାୟଗଡ଼ା