ରାୟଗଡା: ଆକ୍ରମଣକାରୀ ସହ ଲଢ଼ି ନିଜ ଜୀବନ ବଞ୍ଚାଇଛନ୍ତି ମହିଳା ପଞ୍ଚାୟତ ନିର୍ବାହୀ ଅଧିକାରୀ । ନିଜେ ଆହତ ହୋଇ ଅଭିଯୁକ୍ତକୁ କାବୁ କରିବା ପରେ ପୋଲିସ କ୍ବାଟର୍ସ ଭିତରୁ ଅଭିଯୁକ୍ତକୁ ଧରି ଥାନାକୁ ନେଇଛି। ଦୁବୃତର ଆକ୍ରମଣରେ ମହିଳା ଅଧିକାରୀଙ୍କ ଡାହାଣ ଗୋଡ଼ ଭାଙ୍ଗିବା ସହ ମୁହଁ ଓ ନାକରେ ଲାଗିଛି ଆଘାତ । ନିଜ ଜୀବନ ପ୍ରତି ବିପଦ ଥିବା ଅନୁମାନ କରି ପୋଲିସକୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ସମ୍ପୃକ୍ତ ଅଧକରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ସଦରମହକୁମାରେ ।
ରାୟଗଡ଼ା ବ୍ଲକରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାମ କରୁଛନ୍ତି ନିରୁପମା ପଣ୍ଡା । ସେ ରାୟଗଡ଼ ସହରଥିବା ବ୍ଲକ କଲୋନୀ କ୍ବାର୍ଟର୍ସରେ ରୁହନ୍ତି । ତେବେ ରବିବାର ସକାଳୁ ନିରୁପମା ବାସନ ସଫା କରି ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇ ସାରି ବାଥରୁମରୁ କ୍ବାର୍ଟର୍ସ ଭିତରକୁ ଆସୁଥିବା ସମୟରେ ସମୀର ପାଣିଗ୍ରାହୀ ନାମକ ଜଣେ ଯୁବକ ଘର ପଛ ପାଚେରୀ ଡେଇଁ ଭିତରକୁ ପଶି ଆସି ହଠାତ୍ ନିରୁପମାଙ୍କୁ ଆକ୍ରମଣ କରିଥିଲେ । ପରେ ଭୟରେ କ୍ବାର୍ଟର୍ସରୁ ବାହାରକୁ ପଳାଇ ଯିବାକୁ ଉଦ୍ୟମ କରିଥିଲେ ନିରୁପମା, କିନ୍ତୁ ସମୀର ବାରଣ୍ଡାରେ ନିରୁପମାଙ୍କୁ ନିର୍ଘାତ ମାଡ଼ ମାରିବା ସହ ଚୁଟି ଧରି ଘୋଷାଡ଼ି ଘର ଭିତରକୁ ନେଇ ଯାଇଥିଲା । ନିରୁପାୟ ହୋଇ ନିଜ ଜୀବନ ବଞ୍ଚାଇବା ପାଇଁ ଆକ୍ରମଣକାରୀ ସହ ଦୀର୍ଘ ସମୟ ଲଢେଇ ବେଳେ ମୁଣ୍ଡ ଓ ଗୋଡ଼କୁ ଆକ୍ରମଣ କରିଥିଲେ ସମୀର । ଫଳରେ ନିରୁପମାଙ୍କ ଡାହାଣ ଗୋଡ଼ ଭାଙ୍ଗିଯିବା ସହ ନାକ ମଧ୍ୟ ଫାଟିଯାଇଛି । ଆହତ ପରେ ବି ନିରୁପମା ଆକ୍ରମଣକାରୀ କବଳରୁ ବର୍ତ୍ତିବା ପାଇଁ ଲଢେଇ ଜାରି ରଖି କୌଶଳକ୍ରମେ ସମୀରକୁ କାବୁ କରି କ୍ବାର୍ଟର୍ସ ବାହାରକୁ ଠେଲିଆଣି ଚିତ୍କାର କରିଥିଲେ।
ଚିତ୍କାର ଶୁଣି ପାଖରେ ଥିବା ଲୋକେ ଆସି ସମୀରକୁ କାବୁ କରିଥିଲେ । ପରେ ଟାଉନ୍ ଥାନା ପୋଲିସ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ନେଇ ଅଟକ ରଖିଛି । ପରେ ଆହତ ନିରୁପମାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏକ୍ସ-ରେ କରାଯିବା ପରେ ତାଙ୍କ ଡାହାଣ ଗୋଡ଼ ଭାଙ୍ଗିଥିବା ଜଣା ପଡ଼ିବାଛି । ନିରୁପମାଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ସମୀରକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ