ରାୟଗଡା: ସାରିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ ପ୍ରକ୍ରିୟା । ଅପେକ୍ଷା ଫଳାଫଳ ପାଇଁ । ରାୟଗଡା ଜିଲ୍ଲାର 22ଟି ଜିଲ୍ଲା ପରିଷଦ ପ୍ରାର୍ଥୀ, 182ଟି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ ହୋଇସାରିଛି । କାଁଭାଁ ଘଟଣାକୁ ଛାଡିଦେଲେ ଶାନ୍ତିଶୃଙ୍ଖଳାର ସହିତ ଜିଲ୍ଲାପ୍ରଶାସନ ସାରିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ତେବେ ଏଥର ନିର୍ବାଚନରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।
ତେବେ ଏଥର ଭୋଟ ଗଣତି କାର୍ଯ୍ୟକ୍ରମ ବୁଥରେ ନକରି ବ୍ଲକସ୍ତରୀୟ କରାଯାଇଛି । ନିଜ ନିଜ ବ୍ଲକରେ ଜିଲ୍ଲା ପରିଷଦ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀଙ୍କ ଭୋଟ ଗଣତି ହେବ । ସେଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ନିର୍ବାଚନ ଆୟୋଗ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଚଳିତ ମାସ 26, 27 ଏବଂ 28 ତାରିଖରେ ବ୍ଲକ କାର୍ଯ୍ୟାଳୟରେ ଭୋଟ ଗଣତି ହେବ । ଏଣୁ, ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ବ୍ୟାପି ବ୍ଲକ କାର୍ଯ୍ୟାଳୟରେ ଥିବା ଷ୍ଟ୍ରଙ୍ଗ ରୁମରେ ଭୋଟ ବାକ୍ସଗୁଡିକୁ ସୁରକ୍ଷିତ ଭାବେ ରଖାଯାଇଥିବା ସୂଚନା ଦେଇଛନ୍ତି ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ