ରାୟଗଡା: ପଦ୍ମପୁରରେ ଶୀଘ୍ର ଧାନ ମଣ୍ଡି ଖୋଲିବାକୁ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ପଦ୍ମପୁରର ଚାଷୀ । ରାୟଗଡାରେ ଜିଲ୍ଲା ସ୍ଥରୀୟ ଧାନ ସଂଗ୍ରହ କମିଟି ବୈଠକରେ ଚଳିତ ବର୍ଷ ଜିଲ୍ଲାରେ ଡିସେମ୍ବର 19ରୁ ଜିଲ୍ଲା ସ୍ତରୀୟ ଧାନ ମଣ୍ଡି ଆରମ୍ଭ ହେବାକୁ ଥିବା ବେଳେ ପଦ୍ମପୁର ବ୍ଲକରେ ଜାନୁଆରୀ 9 ତାରିଖରେ ମଣ୍ଡି ଖୋଲିବାକୁ ସ୍ଥିର କରାଯାଇଛି । ଯାହାକୁ ବିରୋଧ କରିଛନ୍ତି ପଦ୍ମପୁର ବ୍ଲକ ଚାଷୀ ।
ଏନେଇ ପଦ୍ମପୁର ବ୍ଲକରୁ ଏକ ଚାଷୀ ପ୍ରତିନିଧି ରାୟଗଡ଼ା ଆସି ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କୁ ଭେଟି ପଦ୍ମପୁରରେ ଶୀଘ୍ର ଧାନ ମଣ୍ଡି ଖୋଲିବାକୁ ଅନୁରୋଧ କରିଛନ୍ତି । ଯଦିଓ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ପୂର୍ବରୁ ନୀତିଗତ ନିଷ୍ପତ୍ତି ହୋଇଛି ତଥାପି ସ୍ଥିତି ଅନୁଧ୍ୟାନ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ଏହା ମଧ୍ୟ ପଢନ୍ତୁ: Gujarat Polls: ଆଜି ପ୍ରଥମ ପର୍ଯ୍ୟାୟ ଭୋଟ, 788 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
ପଦ୍ମପୁର ଚାଷୀଙ୍କ କହିବା ଅନୁସାରେ, "ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ପଦ୍ମପୁର ବ୍ଲକରୁ ଜଣେ ମଧ୍ୟ ଚାଷୀଙ୍କୁ ଡକାଗଲା ନାହିଁ ଫଳରେ ପଦ୍ମପୁରର ଚାଷୀଙ୍କ କଥା ଜିଲ୍ଲାପ୍ରଶାସନ ନିକଟରେ ପହଞ୍ଚି ପାରିଲାନି । ପଦ୍ମପୁର ବ୍ଲକରେ ନଭେମ୍ବର ପ୍ରଥମ ସପ୍ତାହରୁ ଧାନ ଅମଳ ଆରମ୍ଭ ହୋଇଥିବା ବେଳେ ସାଇତି ରଖିବାକୁ ଜାଗା ଅଭାବ ଫଳରେ କମ ଦରରେ ଧାନ ବିକୁଛନ୍ତି ।"
ତେବେ ଚଳିତ ବର୍ଷ 14ଟି ଲେମ୍ପ ସମେତ 41ଟି ସ୍ଥାନରେ ଧାନ କିଣିବାକୁ ସ୍ଥିର ହୋଇଥିବା ବେଳେ ଚଳିତ ବର୍ଷ 17512 ଚାଷୀ ଧନ ବିକ୍ରି କରିବାକୁ ରେଜିଷ୍ଟ୍ରେସନ କରିଥିବା ବେଳେ 164491 ମେଟ୍ରିକ ଟନ ଧାନ କିଣିବାକୁ ସ୍ଥିର କରିଛି ଜିଲ୍ଲା ପ୍ରଶାସନ ।
ଇଟିଭି ଭାରତ, ରାୟଗଡା