ରାୟଗଡା: ପୁଣି ଷ୍ଟେଚରରେ ବୁହା ହେଲେ ଗର୍ଭବତୀ । କାଶୀପୁରରେ ପୁଣି ଜଣେ ଜନନୀ ଯନ୍ତ୍ରଣାର ଶିକାର ହେବା ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଥିବା ବେଳେ ପ୍ରତିକାରର ବ୍ୟବସ୍ଥା କରାଯାଉନାହିଁ ।
ପକ୍କା ରାସ୍ତାଟିଏ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ ଫଳରେ ଆମ୍ବୁଲାନ୍ସ କର୍ମଚାରୀ, ଆଶାକର୍ମୀ ଓ ପରିବାର ଲୋକଙ୍କ ସହାୟତାରେ କାଦୁଅ ପଚପଚ ରାସ୍ତାରେ ଦୀର୍ଘ ୪ କିଲୋମିଟର ଷ୍ଟେଚରରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସିନ୍ଦୁରଘାଟି ପଞ୍ଚାୟତ ଅନ୍ତର୍ଗତ ଗଜପଦର ଗ୍ରାମରେ ।
ଗୁରୁବାର ଅଭିମନ୍ୟୁ ପୂଜାରୀଙ୍କ ସ୍ତ୍ରୀ ଯଶୋଦା ପୂଜାରୀ ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଗାଁଠାରୁ ୪ କିଲୋମିଟର ଦୂରରେ ରହିଥିଲା । ଫଳରେ ତାଙ୍କୁ ଆଶାକର୍ମୀ, ଆମ୍ବୁଲାନ୍ସ କର୍ମଚାରୀ ଓ ପରିବାର ଲୋକଙ୍କ ସହଯୋଗରେ ଷ୍ଟେଚରରେ ବୋହିବାକୁ ପଡିଥିଲା । ତାପରେ ଆମ୍ବୁଲାନ୍ସରେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଛି।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ