ରାୟଗଡା: ବଦଳୁଛି ସମୟ...ଏହା ଭିତରେ ତାଳ ଦେଇ ସବୁକିଛି ପରିବର୍ତ୍ତନ ହୋଇଚାଲିଛି। ହେଲେ କାହିଁକି କେଜାଣି ଦୀର୍ଘ ଦଶନ୍ଧି ପରେ ମଧ୍ୟ ଏହି ସରଳିଆ ଲୋକଗୁଡାକ ଆଜି ବି ଉପେକ୍ଷିତ। ସବୁ କିଛି ସୁବିଧା ଏମାନଙ୍କ ପାଇଁ ଆଜି ବି ଅପହଞ୍ଚ। ତେବେ ଆମେ କହୁଛୁ ପୂର୍ବ ଘାଟ ପର୍ବତମାଳାର କଳାହାଣ୍ଡି - ରାୟଗଡା ଜିଲ୍ଲାକୁ ସଂଯୋଗ କରୁଥିବା ନିୟମଗିରି କଥା । ଏଠି ବସବାସ କରନ୍ତି ଭାରତର ସର୍ବ ପୁରାତନ ଜନଜାତି ଡ଼ଙ୍ଗରିୟା କନ୍ଧ ସମ୍ପ୍ରଦାୟ । ଦିନ ଥିଲା ଏଠିକା ଅଞ୍ଚଳ ଶିକ୍ଷା ଠାରୁ ବହୁ ଦୂରରେ ରହିଥିଲା । କିନ୍ତୁ ସମୟର ଚକରେ ପରିବର୍ତ୍ତନଶୀଳ ଡ଼ଙ୍ଗରିୟା ।
ଦୁଇ ଦଶକ ତଳେ ଅକ୍ଷର ଶିଖି ନଥିବା ଡ଼ଙ୍ଗରିୟା ଗାଁରେ ମାଳ ମାଳ ଶିକ୍ଷିତ ଯୁବକ ଯୁବତୀ। ଏହା ନିଶ୍ଚିତ ଭାବେ ସମୃଦ୍ଧ ଭରତ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ହେଲେ ବିଡମ୍ବନାର ବିଷୟ ଯାହା ପାଇଁ ଏତେ ଯୋଜନା ସେମାନେ ଆଜି କେଉଁଠି ନା କେଉଁଠି ଅବହେଳିତ । ଏଇ ଯେମିତି ଡିଜିଟାଲ ଶିକ୍ଷା ବ୍ୟବସ୍ଥା କଥା କୁହାଯାଉ । ଲକଡାଉନ ସମୟରେ ଭର୍ଚୁଆଲ କ୍ଲାସ ଚାଲିଥିବାବେଳେ ଏଠାକାର ପିଲାଙ୍କ ବସ୍ତାନୀରେ ଡୋରି ବନ୍ଧା ହୋଇଛି।
ନିୟମଗିରିରେ କେମିତି ଚାଲିଛି ଡିଜିଟାଲ ପ୍ଲାଟଫର୍ମରେ ଶିକ୍ଷା ଦାନର ବ୍ୟବସ୍ଥା ସ୍ଥିତି ପରଖିବା ପାଇଁ ଆମ ଟିମ୍ ପହଞ୍ଚି ଥିଲା କୁର୍ଲି ପଞ୍ଚାୟତ ଅନ୍ତର୍ଗତ କ୍ଷମବସୁ ଗାଁରେ । ଖବର ନେବାରୁ ଆଶ୍ଚର୍ଯ୍ୟ ଲାଗିଲା ଯେ, ଏହି ଗାଁରେ ଥିବା 50ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ମେଟ୍ରିକରୁ ପୋଷ୍ଟ ଗ୍ରାଜୁଏଟ ।
କୋରୋନା କଟକଣା ପରଠୁ ସ୍କୁଲ କଲେଜ ବନ୍ଦ ଯୋଗୁଁ ଠପ ହୋଇ ଯାଇଛି ଏ ବର୍ଷର ପାଠ ପଢା । ନିୟମଗିରି ପାହାଡରେ କିଛି ଜାଗାରେ କେବଳ ଟେଲିଫୋନ ଟାୱାର ପ୍ରତିକାତ୍ମକ ଭାବେ ସ୍ଥାପନ ହୋଇଥିବା ବେଳେ କାର୍ଯ୍ୟକ୍ଷମ ହୋଇ ନାହିଁ। ଫଳରେ ପିଲାଙ୍କୁ ମୋବାଇଲ ନେଟୱାର୍କ ପାଇଁ 10 କିଲୋମିଟର ଚାଲି ଚାଲି ଯିବାକୁ ପଡେ ।
ଏହା କେବଳ ନିୟମଗିରିର ଦୃଶ୍ୟ ନୁହଁ ଜିଲ୍ଲାର 800 ଦୁର୍ଗମ ଗାଁର ଏକ ଚିତ୍ର। ଯଦି ଆମେ ସରକାରୀ ରିପୋର୍ଟ ଉପରେ ନଜର ପକାଇବା ତେବେ ନିଶ୍ଚିତ ଭାବେ ତାଜୁବ୍ ଲାଗିବ । ଜିଲ୍ଲାର ମୋଟ 1810 ସ୍କୁଲରେ ପାଠ ପଢନ୍ତି 88 ହଜାର 157 ଜଣ ଛାତ୍ରଛାତ୍ରୀ । । ମୋଟାମୋଟି ଭାବେ ହିସାବ ଦେଖିଲେ 52.81 ଶତକଡା ପିଲା ଡିଜିଟାଲ ପାଠ୍ୟକ୍ରମର ସୁବିଧା ନେଇ ପାରୁ ଥିବାବେଳେ ବଳକା ପିଲାଙ୍କ ଭାଗ୍ୟ ସୂତା ଖିଅରେ ଝୁଲୁଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ