ରାୟଗଡା: ଗଡଜାତର ନାଗବଂଶୀ ରାଜା ମାନଙ୍କ ଇଷ୍ଟଦେବୀ ହେଲେ ମା' ମାଣିକେଶ୍ୱରୀ । କଳାହାଣ୍ଡି ଗଡଜାତର ଅଂଶବିଶେଷ ଥିବାବେଳେ ହିଁ କାଶୀପୁର ନାଗବଂଶୀ ଜମିଦାର ରାଜା ମାନଙ୍କ ଦ୍ଵାରା କାଶୀପୁର ଠାରେ ମାଣିକେଶ୍ୱରୀଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇ ବିଧି ବିଧାନ ପୂର୍ବକ ପୂଜାନୀତି ପ୍ରଚଳିତ ହୋଇ ଆସୁଅଛି । ପ୍ରତିବର୍ଷ ଆଶ୍ୱୀନ ମାସରେ ଦେବୀଙ୍କର ଶାକ୍ତ ନବକଳେବର ସହ ଶାରଦୀୟ ଉତ୍ସବ ଅନୁଷ୍ଠିତ ହୋଇଥାଏ । ମା' ଦୁର୍ଗାଙ୍କ ଆଗମନ ପୂର୍ବରୁ ନବରାତ୍ରୀ ଆରମ୍ଭ ହୋଇଯାଇଥିବା ବେଳେ ଚଳଚଞ୍ଚଳ ହୋଇ ଉଠିଛି ଏହି ଶକ୍ତିପୀଠ । ଶାରଦୀୟ ଦୁର୍ଗା ପୂଜାରେ ଏଠାରେ ଦେବୀଙ୍କ ମୁଣ୍ଡବସା ପର୍ବ ହୋଇଥାଏ ।
କାଶୀପୁର ଓ କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କ ପ୍ରତିବର୍ଷ ଶାରଦୀୟ ଉତ୍ସବରେ ଅନ୍ୟ ଏକ ଆସ୍ଥାନରେ କଞ୍ଚା ମାଟିରେ ନିର୍ମିତ ମସ୍ତକ ବା ମୁଣ୍ଡକୁ ସ୍ଥାପନ କରି ଦେବୀଙ୍କ ଶାକ୍ତ ନବକଳେବର କରାଯାଇଥାଏ । କଞ୍ଚା ମାଟିରେ ନିର୍ମିତ ମୁଣ୍ଡରେ ସୁନା ଓ ରୂପାର ଅଖି, କାନ, ନାକ, ଜିଭ ଆଦି ଖଞ୍ଜା ଯିବା ସହ ବିଭିନ୍ନ ରତ୍ନ ଅଳଙ୍କାରରେ ବିଭୂଷିତ କରାଯାଇଥାଏ । ନବ ନିର୍ମିତ ମୁଣ୍ଡ ବା ମସ୍ତକ ଦେବୀଙ୍କ ଠାରେ ସମ୍ପୂର୍ଣ୍ଣ ଗୋପନରେ ତନ୍ତ୍ର ରୀତିରେ ସ୍ଥାପନ କରାଯାଇ ଦେବୀଙ୍କ ଶାରଦୀୟ ଉତ୍ସବ ଆରମ୍ଭ ହୋଇଥାଏ । ଯାହାକୁ ମୁଣ୍ଡବସା ପର୍ବ କୁହାଯାଏ ।
ଏହା ମଧ୍ୟ ପଢନ୍ତୁ-ଆସୁଛନ୍ତି ମା' ଦୁର୍ଗତିନାଶିନୀ, ସଜେଇ ହେଲାଣି ପୂଜା ମଣ୍ଡପ
ଭବାନୀପାଟଣା ସ୍ଥିତ ମାଣିକେଶ୍ୱରୀ ପୀଠରେ ପ୍ରତିବର୍ଷ ଆଶ୍ୱୀନ ମୂଳାଷ୍ଟମୀ ତିଥିରେ ମୁଣ୍ଡବସା ପୂର୍ବକ ଦେବୀଙ୍କ ନବକଳେବର କରା ଯାଉଥିବା ବେଳେ କାଶୀପୁର ମାଣିକେଶ୍ୱରୀ ପୀଠରେ ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ ମା'ଙ୍କର ମୁଣ୍ଡବସା ନବକଳେବର କରାଯାଇଥାଏ । ମାଣିକେଶ୍ୱରୀ ପୀଠରେ ଆଶ୍ୱୀନ ଶୁକ୍ଳ ପ୍ରତିପଦା ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ରୀତିନୀତି ସହ ପୂଜାର୍ଚ୍ଚନା ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିଥାଏ । ଏହି ପୀଠରେ ମା' ମାଣିକେଶ୍ଵରୀ ଦେବୀ ଛିନ୍ନମସ୍ତା ରୂପରେ ପୂଜା ପାଆନ୍ତି । ଦଶ ମହାବିଦ୍ୟା ମଧ୍ୟରେ ଛିନ୍ନମସ୍ତା ଅନ୍ୟତମ । ତେଣୁ ଏହି ପୀଠର ମହିମା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆଉ ଏହି ଦଶ ଦିନ ବ୍ୟାପୀ ମା'ଙ୍କ ନିକଟରେ ଭକ୍ତଙ୍କ ଗହଳି ହୋଇଥାଏ । ମନସ୍କାମନା ପୂର୍ଣ୍ଣ ପାଇଁ ରାୟଗଡ଼ା, କୋରାପୁଟ ଓ କଳାହାଣ୍ଡି ଜିଲ୍ଲା ସମେତ ଆନ୍ଧ୍ର ଓ ଛତିଶଗଡ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।
ମାଣିକେଶ୍ୱରୀ ସଂସ୍କୃତିରେ ପ୍ରତିବର୍ଷ ଆଶ୍ୱୀନ ମାସରେ ଦେବୀଙ୍କର ଶାକ୍ତ ନବକଳେବର ସହ ଶାରଦୀୟ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଶ୍ରୀକ୍ଷେତ୍ର ପୁରୀରେ ଯେଉଁ ବର୍ଷ ଯୋଡ଼ା ଆଷାଢ଼ ପଡେ ସେହିବର୍ଷ ଶ୍ରୀ ଜୀଉ ମାନଙ୍କର ନୂତନ ବିଗ୍ରହ ନିର୍ମାଣ କରାଯାଇଥାଏ । କିମ୍ବଦନ୍ତୀ କହେ ସତୀଙ୍କ ଶରୀରର ଅଂଶ ସ୍ୱରୂପ ହୃଦୟ ଅର୍ଥାତ ଯନ୍ତ୍ର ଏଠି ପଡିଥିବାରୁ ମାଣିକେଶ୍ଵରୀଙ୍କ ବିଗ୍ରହ ସାଙ୍ଗକୁ ଅନ୍ୟ ଏକ ଆସ୍ଥାନରେ ସୁବର୍ଣ୍ଣର ଯନ୍ତ୍ର ଅର୍ଥାତ ଆଠଟି ପାଖୁଡା ବିଶିଷ୍ଠ ପଦ୍ମ ଫୁଲକୁ ପୂଜା କରାଯାଇ ଥାଏ । ଜନଶୃତି ଅନୁସାରେ ପ୍ରତ୍ୟେକ ପାଖୁଡାରେ 3 ଟି ଦେବୀ ପୂଜା ପାଇଥାନ୍ତି ।
ଇଟିଭି ଭାରତ, ରାୟଗଡା