ରାୟଗଡା: ପ୍ରେମ ଆଗରେ ତୁଚ୍ଛ ହେଲା ବାତ୍ସଲ୍ୟ ମମତା । ପରକୀୟା ପ୍ରୀତି ପାଇଁ ମା ଭୁଲିଗଲା ନିଜ ନିଷ୍ପାପ ଶିଶୁକୁ । ପ୍ରେମ ରାସ୍ତାରେ କଣ୍ଟା ହେବାରୁ ନିଜ 2 ବର୍ଷର କଅଁଳ ଶିଶୁକୁ ଅତି ନିର୍ମମ ଭାବେ ହତ୍ୟା କରିଛି ମା । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ରାୟଗଡା ଜିଲ୍ଲାରେ । ସେପଟେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ପୁରା ଘଟଣା ଏମିତି, ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିଲେ ଅଶୋକ ଦାସ ଏବଂ ତାଙ୍କ ପତ୍ନୀ ସଖିଲା ପରିଡ଼ା । ସ୍ତ୍ରୀ ସଖିଲା ରାଜ୍ୟର ବିଭିନ୍ନ ଅଞ୍ଚଳକୁ ମୀନା ବଜାର ପାର୍ଟିରେ ଯାଇ କାମ କରନ୍ତି ଏବଂ ସେଥିରୁ କିଛି ଅର୍ଥ ଉପାର୍ଜନ କରି ସ୍ବାମୀଙ୍କୁ ପରିବାର ଚଳାଇବାରେ ସହାୟତା କରନ୍ତି । ଏଥିରେ ବେଶ ହସଖୁସିରେ ଚଳୁଥିଲେ ଉଭୟ ପତିପତ୍ନୀ ।
ତେବେ ଗତ କିଛିବର୍ଷ ଧରି ସଖିଲା ରାୟଗଡ଼ାରେ ଅନୁଷ୍ଠିତ କାଳୀପୁଜା, ଗଜଲକ୍ଷ୍ମୀ ପୂଜା ଏବଂ ଜେକେପୁରର ଦଶହରାରେ ମିନାବଜାରରେ ଆସି କାମ କରୁଥିବା ବେଳେ ତାଙ୍କର ଭେଟ ହୋଇଥିଲା ରାୟଗଡ଼ା ସହରର ଉମାଶଙ୍କର ସିନେମା ହଲ ନିକଟରେ ରହୁଥିବା ପାର୍ଥ ସାରଥୀ ଧଳଙ୍କ ସହ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ତେବେ ଉଭୟଙ୍କ ମଧ୍ୟରେ ଏହି ପ୍ରେମ ସମ୍ପର୍କ ଏତେ ନିବିଡ଼ ଥିଲା ଯେ ସ୍ବାମୀଙ୍କୁ ମିଛ କହି ସକିଲା ରାୟଗଡାରେ ଆସି ରହିବାକୁ ଲାଗିଲେ ।
ପରେ ଗତ 20 ତାରିଖରେ ବିଶାଖାପାଟଣାରେ ମୀନାବଜାରକୁ ଯିବାକୁ କହି ନିଜ 2 ବର୍ଷର ପୁଅକୁ ନେଇ ରାୟଗଡା ଚାଲି ଆସିଥିଲେ ସଖିଲା । ହେଲେ ସେଠାରେ ଛୁଆକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାସ୍ତାରୁ କଣ୍ଟା ହଟାଇବା ଉଦ୍ଦେଶ୍ୟରେ ଶିଶୁଟିକୁ ନିର୍ଦ୍ଧୁମ ମାଡ ମାରିଥିଲେ ଉଭୟ । ପରେ ଗୁରୁତର ଅବସ୍ଥାରେ ଶିଶୁଟିକୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଶିଶୁର ଶବ ବ୍ୟବଚ୍ଛେଦ ରିପୋର୍ଟରୁ ହତ୍ୟା କରାଯାଇଥିବା ନେଇ ସ୍ପଷ୍ଟ ହେବା ପରେ ପୁରା ଘଟଣା ସାମ୍ନାକୁ ଆସିଛି । ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ