ରାୟଗଡା: ଗତ ୨୩ ତାରିଖ ଦିନ ଚନ୍ଦ୍ରପୁର ବ୍ଲକ ସଦର ମହକୁମାରେ ପାଉଞ୍ଜି କିଣିବାକୁ ଯାଇ ନିଖୋଜ ଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀର ଶେଷରେ ମୃତଦେହ ଠାବ ହୋଇଛି । ଏନେଇ ମଙ୍ଗଳବାର ଜିଲ୍ଲା ସଦର ମହକୁମାରେ ରାୟଗଡ଼ା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ , ଚନ୍ଦ୍ରପୁର ଥାନା ରେ ଗତ ଶନିବାରରୁ ଛାତ୍ରୀ ଜଣକ ନିଖୋଜ ଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା ।
ସେପଟେ ଏହାକୁ ନେଇ ଗ୍ରାମବାସୀ ଓ ପରିବାର ପକ୍ଷରୁ ରାସ୍ତାରୋକ କରି ଧାରଣା ମଧ୍ୟ ଦିଆଯାଇଥିଲା । ଉକ୍ତ ଛାତ୍ରୀ ନିଖୋଜ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । ମଙ୍ଗଳବାର ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ଜରିଆରେ ଚନ୍ଦ୍ରପୁର ନିକଟସ୍ଥଏକ ଜଙ୍ଗଲରେ ଉକ୍ତ ନାବାଳିକା ଛାତ୍ରୀର ମୃତଦେହ ଉଦ୍ଧାର ହୋଇଥିବା କହିଛନ୍ତି ରାୟଗଡ଼ା ଏସପି ଡ଼. ଶର୍ବଣ ବିବେକ ଏମ ।
ତେବେ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ଏହା ଏକ ହତ୍ୟା ବୋଲି ପୋଲିସ ସନ୍ଦେହ କରି ହତ୍ୟା ମାମଲା ରୁଜୁ କରିଛି । ସେପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଏହି ଘଟଣା ଉପରୁ ପରଦା ହଟିବ ବୋଲି ଏସପି କହିଛନ୍ତି । ଏହି ମାମଲାରେ ପୋଲିସ ବଣ୍ଡରି ଗାଁର ୧୯ ବର୍ଷୀୟ ସେବାକ ସିଂକୁ ଗିରଫ କରି ତଦନ୍ତ ଜାରି ରଖିଛି ।
ତେବେ ମୃତ ଛାତ୍ରୀ ଜଣକ ହେଉଛନ୍ତି ଜ୍ୟୋତି କିଟ୍ରାଙ୍ଗୀ । ସେ ଚନ୍ଦ୍ରପୁରର କନ୍ୟାଶ୍ରମର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଶନିବାର ଦିନ ନାବାଳିକା ଛାତ୍ରୀ ତାଙ୍କ ସାନ ଭାଇଙ୍କ ସହିତ ପାଉଁଞ୍ଜି କିଣିବା ପାଇଁ ବଜାରକୁ ଆସୁଥିଲେ । ସେହି ସମୟରେ ବଣ୍ଡରି ଗାଁର ୧୯ ବର୍ଷୀୟ ଯୁବକ ସେବାକ ସିଂ ବାଇକରେ ଲିଫ୍ଟ ଦେଇଥିଲେ । ପରେ ସେଠାକାର ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ପେଟ୍ରୋଲ ସରିଯିବା ବାହାନା କରି ବାଇକ୍ ରଖିଦେଇ ଛାତ୍ରୀଙ୍କ ସାନ ଭାଇଙ୍କୁ ପେଟ୍ରୋଲ ଆଣିବା ପାଇଁ ପଠେଇ ଦେବା ପରେ ଛାତ୍ରୀଙ୍କୁ ପାଖ ଜଙ୍ଗଲକୁ ନେଇ ଦୁଷ୍କର୍ମ କରି ହତ୍ୟା କରିଥିବା ଛାତ୍ରୀଙ୍କ ପିତା ଥାନାରେ ଅଭିଯୋଗ କରିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ