ରାୟଗଡ଼ା: ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ସାନ କାଚାପାଇ ଗ୍ରାମରେ ମୋରମ ଖୋଳିବା ବେଳେ ଘଟିଛି ଅଘଟଣ । ଖୋଳିବା ବେଳେ ମାଟି ଧସିଯାଇ ଜଣେ ନାବାଳିକାର ମୃତ୍ୟୁ ଘଟିଥିବାବେଳେ ଆଉ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଆଜି ଅପରାହ୍ନରେ ଏହି ଗ୍ରାମର କିଛି ମହିଳା ଓ ଛୋଟ ପିଲା ଗ୍ରାମ ନିକଟସ୍ଥ ପାହାଡ଼ରୁ ମୋରମ ସଂଗ୍ରହ କରିବାକୁ ଯାଇଥିଲେ । ମୋରମ ଖୋଳୁ ଖୋଳୁ ଉପରୁ ହଠାତ ମାଟି ଅତଡା ଖସିଯିବାରୁ ଟୁନି ପ୍ରାସ୍କା ନାମ୍ନୀ ଜଣେ 15 ବର୍ଷୀୟା ନାବାଳିକା ମୋରମ ତଳେ ଚାପି ହୋଇ ମୃତ୍ୟୁବରଣ କରିଥିଲା । ସେପଟେ ଏହି ଅଘଟଣରେ ଆଉ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଖବର ପାଇ ଗ୍ରାମବାସୀ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଥିଲେ ଓ ଡାକ୍ତରଖାନା ନେଇଥିଲେ।
ଆହତ ହୋଇଥିବା ଆଉ ଜଣେ ମହିଳା ଓ ନାବାଳିକାଙ୍କୁ ପ୍ରଥମେ ବିଷମ କଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବିଷମ କଟକ ପୋଲିସ ଘଟଣାର ତଦନ୍ତ କରୁଛି ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ