ରାୟଗଡା: କୋରୋନା ପ୍ରଭାବରେ ବିଭିନ୍ନ ରାଜ୍ୟରେ ଫସିରହିଥିବା ଜିଲ୍ଲାର ଶ୍ରମିକ ମାନେ ଏବେ ଫେରିବା ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ କେରଳରୁ ୧୮ ଜଣ ଶ୍ରମିକ ରବିବାର ଦିନ ରାୟଗଡ଼ା ଜିଲ୍ଲାରେ ପହଁଞ୍ଚି ଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟପରୀକ୍ଷା ପରେ ୧୪ ଦିନିଆ କ୍ୱାରାଣ୍ଟାଟାଇନ ସେଣ୍ଟରରେ ରଖାଯାଇଛି ।
ତେବେ ଜିଲ୍ଲାରେ ଆସନ୍ତା ସପ୍ତାହକ ମଧ୍ୟରେ ପ୍ରାୟ ୨୦ ହଜାର ଶ୍ରମିକ ବିଭିନ୍ନ ରାଜ୍ୟରୁ ଫେରିବା ପ୍ରାଥମିକ ଆକଳନ କରିଛି ଜିଲ୍ଲା ପ୍ରଶାସନ। ଏନେଇ ବିସ୍ତୃତ ପ୍ରସ୍ତୁତି ସରିଥିବା କହିଛନ୍ତି ରାୟଗଡ଼ା ଜିଲ୍ଲାଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିଦ୍ଧେଶକ ତଥା ଜିଲ୍ଲା କୋଭିଡ଼ କୋଡ଼ିନେଟର ଅମ୍ରିତ ରୁତୁରାଜ ।
ତାଙ୍କ କହିବା ଅନୁସାରେ, ଜିଲ୍ଲାକୁ ୨୨ ହଜାର ଲୋକ ବିଭିନ୍ନ ରାଜ୍ୟରୁ ଫେରିବାର ପ୍ରାକ ସୂଚନା ମିଳୁଛି। ତଥାପି ଜିଲ୍ଲା ପକ୍ଷରୁ ୪୦ ହଜାର ଲୋକଙ୍କ ରହିବା ପାଇଁ ପର୍ଯ୍ୟାପ୍ତ ସୁବିଧା ରହିଛି । ଜିଲ୍ଲାର ୧୧ ଟି ବ୍ଲକରେ ଥିବା ୧୮୨ ପଞ୍ଚାୟତ , ଦୁଇଟି ମ୍ୟୁନିସିପାଲଟି ଏବଂ ଗୋଟିଏ ଏନଏସିରେ ରାଜ୍ୟ ଫେରନ୍ତାଙ୍କ ପାଇଁ ୩୨୧ ଟି ସଙ୍ଗରୋଧ କେନ୍ଦ୍ର ବର୍ତମାନ ପ୍ରସ୍ତୁତ ହୋଇ ରହିଛି ।
ଗୋଟିଏ ଗୋଟିଏ ସଙ୍ଗରୋଧ କେନ୍ଦ୍ର ପାଇଁ ସ୍ୱେଛାସେବିଙ୍କୁ ମିଶାଇ 5 ଜଣ କର୍ମଚାରି ନିୟୋଜିତ ଅଛନ୍ତି । ବ୍ଲକ ସ୍ତରରେ ମଧ୍ୟ ମନିଟରିଙ୍ଗ ପାଇଁ ବିଡ଼ିଓଙ୍କ ଅଧ୍ୟକ୍ଷତାରେ ଏକ ଟିମ କାର୍ଯ୍ୟକରୁଥିବା ବେଳେ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଟିମ ମନିଟରିଙ୍ଗ କରୁଛି । ତେବେ ଆଉ ଦିନେ ଦୁଇଦିନ ମଧ୍ୟରେ କେତେ ପ୍ରବାସୀ ଜିଲ୍ଲାକୁ ଆସିବେ ତାହା ସ୍ୱଷ୍ଟ ହୋଇଯିବ ବୋଲି ପିଡ଼ି ଅମ୍ରିତ ରୁତୁରାଜ କହିଛନ୍ତି।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ