ରାୟଗଡା: ଆଦିବାସୀଙ୍କ ନିଆରା ବିଶ୍ବାସର ପର୍ବ ଜନାସରଣୀ ପୂଜା ବା ନୂଆଖାଇ (Jana Jarani Puja Festival in Rayagada) । ବିଶ୍ବାସରେ ବନ୍ଧା ଏଠି ଆଦିବାସୀ ସମ୍ପ୍ରଦାୟ । ବିଶ୍ବାସ ହେଉଛି ସେମାନଙ୍କ ଜୀବନ ଯାପନର ପୁଞ୍ଜି । ଏହାକୁ ଆଧାର କରି ସେମାନେ ବଞ୍ଚିଥାନ୍ତି । ପ୍ରକୃତି ଉପାସନା ସେମାନଙ୍କ ଆଉ ଏକ ପରମ୍ପରା । ସେଇଥି ପାଇଁ ଋତୁ ଅନୁଯାୟୀ ଏମାନଙ୍କ ନିଆରା ପୂଜା ପରମ୍ପରା ରହିଛି । ପୂଜା ପାର୍ବଣ ସତେ ଯେମିତି ସେମାନଙ୍କ ଜୀବନ ଜୀବିକାର ଆଉ ଏକ ଅଙ୍ଗ । ସେହିପରି ସେମାନଙ୍କ ଅତୁଟ ବିଶ୍ବାସର ଏକ ପର୍ବ ଜନାସରଣୀ ପୂଜା । ଆଦିବାସୀ ପରମ୍ପରାରେ ଏହି ପୂଜାକୁ କୃଷିଭିତ୍ତିକ ପୂଜା ରୂପେ ପାଳନ କରାଯାଏ । ଫସଲ ଅମଳ ପୂର୍ବରୁ ଏହି ପୂଜା ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ ବହୁଳ ରୂପେ କରାଯାଏ ।
ଚଇତି ପର୍ବ, ମାଣ୍ଡିଆରାଣୀ, ନୂଆଁଖାଇ, ଜନାଖାଇ ଆଦି ପୂଜା ବିଭିନ୍ନ ଋତୁରେ ପାଳନ କରାଯାଉଥିବା ବେଳେ ଭାଦ୍ରବ ମାସରେ ଆଦିବାସୀ ବସ୍ତିମାନଙ୍କରେ ପାଳନ କରୁଥିବା ପୂଜାକୁ ଭୁଦବଳାନି ବା ଜନାସରଣୀ ଅବା ଜନାଖାଇ ପୂଜା କୁହନ୍ତୁ । ମୂଖ୍ୟତଃ ଏହି ସମୟରେ ଡଙ୍ଗରରେ ମକା ଫସଲର ଆମଦାନୀ ସମୟ । ମକା ମଞ୍ଜି ଲଗାଇବା ସମୟରେ ଜନାଖାଇ ଅସୁରୁଣୀକୁ ମକା ବାଡର ସୁରକ୍ଷା ଦୟିତ୍ଵ ଦେଇଥିବା ବେଳେ ମକତୋଳି ଘରକୁ ନେବା ପରେ ପ୍ରଥମ ମକା ଜନାଖାଇ ଅସୁରୁଣୀକୁ ସମର୍ପଣ ପରେ ଯାଇଥାଏ (Budhiasruni Eats First Crop ) ଏବଂ ପରେ ନିଜେ ବ୍ୟବହାର କରିଥାନ୍ତି ଆଦିବାସୀ ସମ୍ପ୍ରଦାୟ ।
ଏହା ମଧ୍ୟ ପଢନ୍ତୁ-ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ୍ ବଜାଇଲେ ନବୀନ
ତେବେ କେଉଁ ଦିନ ଭୁଦବଳାନି ବା ଜନା ସରଣୀ ଅବା ଜନାଖାଇ ପୂଜା ହେବ ସେ ନେଇ ଗାଁ ଦିଶାରୀ, ବେଜୁଣି , ବାରିକ ଏବଂ ଗାଁ ସଉନ୍ତା ଏକାଠି ବସି ଯାନୀ ଗୁଡ଼ିରେ ଦିନ ,ସମୟ ଏବଂ ଦିଗ ନିର୍ଧାରଣ କରିଥାନ୍ତି । ସ୍ଥିରୀକୃତ ଦିନ ଏବଂ ତିଥିରେ ପୂଜା ପାଇଁ ଗାଁରେ ଇଷ୍ଟ ଦେବୀ ସ୍ଥାପନା କରି ଗାଁ ସନ୍ଧିରେ ଅଦୃଶ୍ୟ ଶକ୍ତିର ଉପାସନା ପୂର୍ବକ ଜନାଖାଇ ଅସୁରୁଣୀର ମାଟି ମୂର୍ତ୍ତି ନିର୍ମାଣ କରାଯାଇଥାଏ । ଆଦିବାସୀ ସମ୍ପ୍ରଦାୟର ଅତ୍ୟୁଟ ବିଶ୍ବାସ ରହିଛି ଯେ ଏହି ପୂଜା ନକଲେ ଜନାଖାଇ ଅସୁରୁଣୀର କୋପରେ ଗାଁରେ ରୋଗ, ବେମାର ସହ ମହାମାରୀ ଦେଖାଦେବ ।
ମୂଖ୍ୟତଃ ଏହି ପୂଜା ମକା ଅମଳ ପରେ ଆଦିବାସୀ ସମ୍ପ୍ରଦାୟର ରମଣୀ ଓ ପୁରୁଷ ଏହି ପୂଜା କରିଥାନ୍ତି । ଦିସାରି ଓ ଜାନି ଗାଁ ମୁଣ୍ଡରେ ଥିବା ନିଶାନ ମୁଣ୍ଡା ଗାଁ ଠାକୁରାଣୀଙ୍କ ନିକଟରୁ ଆଜ୍ଞା ସ୍ବରୁପ ହଳଦୀ ନିର୍ମିତ ପାଦଆଣି ପୂଜାର ଶୁଭି ଆରମ୍ଭ କରିଥାନ୍ତି । ବିଭିନ୍ନ ଦେବା ଦେବୀଙ୍କ ନାମରେ ପାରମ୍ପରିକ ବାଦ୍ୟର ତାଳେତାଳେ ବେଜୁଣି ନାଚିବା ସହ ଧୂପ, ଦୀପ, ଝୁଣା ଓ ଜଡାର ବାସ୍ନାରେ ସମ୍ପୁର୍ଣ୍ଣ ଗାଁରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥାଏ । ଗାଁ ମୁଣ୍ଡରେ ଥିବା ପ୍ରମୁଖ ସନ୍ଧିରେ ଜନାଖାଇ ଅସୁରୁଣୀର ମୂର୍ତ୍ତି ସ୍ଥାପନ କରି ଅଦୃଶ୍ୟ ଶକ୍ତିକୁ ପୂଜା କରାଯାଇ ନିଜ ବଡ ବା ଡାଙ୍ଗରରେ ଫଳିଥିବା ମକା ସମର୍ପଣ କରାଯାଇଥାଏ । କେବଳ ସେତିକି ନୁହଁ ଜନାଖାଇ ଅସୁରୁଣୀକୁ ଶାନ୍ତ କରିବା ପାଇଁ ସେଠାରେ କୁକୁଡା ଓ ଛେଳି, ଘୁଷୁରି ଆଦିକୁ ବଳି ଦିଆଯାଇଥାଏ । ବଳୀ ପରେ ରକ୍ତକୁ ସମ୍ପୃକ୍ତ ରାକ୍ଷାସର ଜିଭରେ ଢଳାଯାଇ ଶାନ୍ତ କରିବା ନିୟମ ରହିଛି ।
ଇଟିଭି ଭାରତ, ରାୟଗଡା