ରାୟଗଡ଼ା: ପାଖେଇ ଆସୁଛି ପୌର ନିର୍ବାଚନ। ଏନେଇ ପାଇଁ ରାଜନୀତିରେ ଚଳଚଞ୍ଚଳ ଦେଖାଦେଇଛି। ପ୍ରମୁଖଦଳ ଯୋଗ୍ୟ ପ୍ରାର୍ଥୀ ଚୟନ ପାଇଁ ଅଙ୍କକଷା ଚାଲିଛି। ସେପଟେ ରାୟଗଡ଼ା ଜିଲ୍ଲାରେ ସ୍ବାଧୀନ ପ୍ରାର୍ଥୀଙ୍କ ଭୂମିକା ଚର୍ଚ୍ଚାର ବିଷୟ ପାଲଟିଛି।
ରାଜ୍ୟରେ ପୌର ନିର୍ବାଚନ ନେଇ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ରାୟଗଡ଼ା ଜିଲ୍ଲାରେ ଗୁଣୁପୁର ପୌର ପରିଷଦ ଘୋଷଣା ପରେ ଏହା ପ୍ରଥମ ପୌର ନିର୍ବାଚନ ହେବ । ନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଚୟନ ଟଣାଓଟରା ଦେଖିବାକୁ ମିଳିଛି। ଏହାରି ଭିତରେ ସ୍ବାଧୀନ ପ୍ରାର୍ଥୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହୁଥିବା ଚର୍ଚ୍ଚା ହେଉଛି । ଏଠାରେ 19 ଗୋଟି ୱାର୍ଡ ରହିଥିବା ବେଳେ ଅଧ୍ୟକ୍ଷ ପଦବୀ ସାଧାରଣ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ବର୍ତ୍ତମାନ ସୁଦ୍ଧା ଏଠାରେ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇ ନ ଥିବା ବେଳେ ସ୍ବାଧୀନ ପ୍ରାର୍ଥୀଙ୍କ ଦବଦବା ଦେଖିବାକୁ ମିଳିଛି ।
ନାମାଙ୍କନ ପତ୍ର ଦାଖଲର ଚତୁର୍ଥ ଦିନରେ ଅଧ୍ୟକ୍ଷ ପାଇଁ 2 ଟି ସ୍ବାଧୀନ ପ୍ରାର୍ଥୀ ଓ କାଉନସେଲର ନିମନ୍ତେ 7 ଜଣ ସ୍ବାଧୀନ ପ୍ରାର୍ଥୀ ମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧ୍ୟକ୍ଷା ପଦବୀ ନିମନ୍ତେ ଗୁଣୁପୁର ଏନଏଏସିର ପୂର୍ବତନ ଅଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ଙ୍କ ଧର୍ମ ପତ୍ନୀ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି ୱାର୍ଡ ନମ୍ବର 2,6,7,10,11,14,15,16,18 ନିମନ୍ତେ ସ୍ବାଧୀନ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆସନ୍ତା 24 ତାରିଖରେ ପୌର ନିର୍ବାଚନ ହେବାକୁ ଥିବା ବେଳେ 26ରେ ଭୋଟ୍ ଗଣତି ହେବ । ସେନେଇ ପ୍ରାର୍ଥୀଙ୍କ ମଧ୍ୟରେ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଛି।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ