ରାୟଗଡା: ସ୍ୱାମୀର ଛୁରା ମାଡରେ ସ୍ତ୍ରୀ ଓ ଝିଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛିନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ସହର ସ୍ଥିତ ଆନ୍ଧ୍ରବ୍ୟାଙ୍କ ଲେନରେ । ରଘୁନାଥ ନାଗ ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଝିଅକୁ ଛୁରୀରେ ଆକ୍ରମଣ କରିଛି । ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ମାଆ ଓ ଝିଅଙ୍କୁ ପଡୋଶୀ ଉଦ୍ଧାର କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।
ରଘୁନାଥ ଶନିବାର ଘରେ ଗଣ୍ଡଗୋଳ କରି ଏକ ଛୁରୀରେ ସ୍ତ୍ରୀଙ୍କୁ ଆକ୍ରମଣ କରିବା ସମୟରେ, ଝିଅ ଗାୟତ୍ରୀ ହଠାତ ଆସିଯିବାରୁ ତାକୁ ମଧ୍ୟ ଆକ୍ରମଣ କରିଥିଲା । ଏ ଯାଏଁ ପରିବାର ପକ୍ଷରୁ ଥାନାରେ ଏତେଲା ଦିଆଯାଇ ନ ଥିବାବେଳେ ପୋଲିସ ସ୍ଵାମୀ ରଘୁନାଥ ନାଗକୁ ଅଟକ ରଖି ପଚରା ଉଚରା କରୁଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ