ରାୟଗଡା: ଲଘୁଚାପ ଜନିତ ବର୍ଷାରେ ରାୟଗଡା ଜିଲ୍ଲା ଗୁଣପୁର ବ୍ଲକର ପାହାଡିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବର୍ଷା ପାଣିରେ ସବୁଆଡେ ସ୍ଥିତି ବେହାଲ । ନଦୀ ନାଳରେ ପ୍ରବଳ ପାଣି । ଏପରି ସ୍ଥିତିରେ ଗୋଟିଏ ଛୁଆ ହାତୀରେ ପାଣିରେ ଭାସି ଯାଉଥିବା ଦେଖିବାକୁ ମିଳିଛି ।
ପ୍ରଥମ ଲଘୁଚାପ ଜନିତ ବର୍ଷା ଏହି ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଇଛି । ଭୀମପୁର ଠାରେ ଥିବା ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ପାଣି ପଶିଛି । ପିଠାଗୁଡିରେ ହଷ୍ଟେଲରେ ଥିବା ପିଲାମାନେ ଅକଥନୀୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଗାଁ ପାଖରେ ଥିବା ଏକ ନାଳରେ ଆଡିବନ୍ଧ ଭାଙ୍ଗିଯିବାରୁ ବିଳମ୍ବିତ ରାତିରେ ପାଣି ସ୍କୁଲ ଭିତରେ ପଶିଯାଇଥିଲା । ପିଲାମାନେ ସେହି ସମୟରେ ସେଠାରେ ରହୁଥିଲେ । ଖବର ପାଇ ଲୋକମାନଙ୍କ ସହ ଶିକ୍ଷକ ମାନେ ପିଲାଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଥିଲେ । ସ୍କୁଲ ଭିତରେ ଥିବା ଆସବାତ୍ର ଭାସିଯିବା ସହ ଚାଉଳ ବସ୍ତା ଗୁଡିକ ପାଣିରେ ଭିଜି ଯାଇଥିଲା ।
ଗଛ କରୋଡରେ ଅଜଗରସାପ ରହିଥିବାର ଦେଖିବାକୁ ମିଳିଥିଲା । ପାଣିରେ ସ୍କୁଲ ଭିତରକୁ ସାପ ମଧ୍ୟ ପଶି ଆସିଥିବା ଦେଖିବାକୁ ମିଳିଥିଲା । ସେହିଭଳି ଖଇରା ମେରିଙ୍ଗି ସାନ ନଦୀ ନାଳରେ ଏକ ପିଲାହାତୀ ଭାସିଯାଇଥିଲା । ୬ ଟିକିଆ ହାତୀ ପଲ ସେହି ଅଞ୍ଚଳରେ ରହୁଥିବା ବେଳେ ଛୁଆ ହାତୀଟି ପାଣି ସୁଅରେ ଭାସି ଯାଇଥିଲା । ଭୀମପୁର ପଞ୍ଚାୟତର ପିଠା ଗୁଡିରେ ବ୍ରିଜ ଭାଙ୍ଗିଯାଇଥିଲା ।
ଫଳରେ ଭୀମପୁରଠାରୁ ପଦ୍ମପୁର ବ୍ଲକ ମଧ୍ୟରେ ସେହି ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଶଗଡା ପଞ୍ଚାୟତର ଅଙ୍ଗରା, ଗୁଡାଡା ଅଞ୍ଚଳରେ ପାହାଡ ପାଣି ଆସି ଧାନ ଜମିରେ ମାଡି ଯାଇଥିଲା । ବ୍ୟାପକ ଅଞ୍ଚଳ ଜମଳମଗ୍ନ ହେବା ଦ୍ବାରା ଧାନ ଫସଲ ନଷ୍ଟ ହୋଇଛି । ୫୦ ହେକଟର ଜମିରେ ଧାନ ତଳିକ୍ଷତି ହୋଇଥିବା କୃଷି ବିଭାଗ ଆକଳନ କରିଛି ।
ଇଟିଭି ଭାରତ, ରାୟଗଡା