ରାୟଗଡା: କାଶୀପୁର ପୂର୍ବତନ ଯୁବ କଂଗ୍ରେସ ସଭାପତି ଗଜେନ୍ଦ୍ର ନାଏକଙ୍କୁ ନିର୍ମମ ହତ୍ୟା । ଟାଙ୍ଗିଆରେ ହାଣି ବୀଭତ୍ସ ଭାବେ ହତ୍ୟା କଲେ ଅଭିଯୁକ୍ତ । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଗତକାଲି(ଶୁକ୍ରବାର) ସକାଳ 10ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି ।
ପ୍ରତ୍ୟକ୍ଷଦର୍ଶୀ ଅନନ୍ତ ମାଝିଙ୍କ ସୂଚନା ଅନୁସାରେ,‘‘ଗତକାଲି ସକାଳ ପ୍ରାୟ ୧୦ଟା ସମୟରେ ଗଜେନ୍ଦ୍ର ନାଏକ କାଶୀପୁର ଠାରୁ ୧୦ କିଲୋମିଟର ଦୂର କସନଦରା ଗ୍ରାମକୁ ନିଜ ଚାଷଜମିର ମରାମତି ନିମନ୍ତେ ଯାଇଥିଲେ । ତାଙ୍କ ସହ କିଛି ନିଜ ଶ୍ରମିକ ଏବଂ JCB ଡ୍ରାଇଭର ମଧ୍ୟ ଉପସ୍ଥିତ ଥିଲେ । JCB ସହ ଉକ୍ତ ଚାଷ ଜମିରେ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଚାନ୍ଦଗିରି ଗ୍ରାମର ବାଘ ଗୌଡ଼ ନାମକ ବ୍ୟକ୍ତି ଓ ତାଙ୍କ ଦୁଇ ପୁଅ ମିଳିତ ଭାବେ କୁରାଢୀରେ ଆକ୍ରମଣ କରିଥିଲେ । ଗଜେନ୍ଦ୍ର ନାଏକଙ୍କୁ ତିନିଟି କୁରାଡ଼ିରେ ଆକ୍ରମଣ କରିଥିଲେ । ଏହାପରେ ସେମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଗଜେନ୍ଦ୍ର ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ କାଶୀପୁର ହସ୍ପିଟାଲକୁ ଆଣିଥିଲୁ । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।’’
ଅଧିକ ପଢ଼ନ୍ତୁ: ସୁଶାନ୍ତ ନାୟକ ହତ୍ୟା ଘଟଣା, 3 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଖବର ପାଇ କାଶୀପୁର ପୋଲିସ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହକୁ ଜବତ କରିଛି । ପୋଲିସ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ନେଇ ତଦନ୍ତ କରିଛି କାଶୀପୁର ପୋଲିସ । ପ୍ରତ୍ୟକ୍ଷଦର୍ଶୀଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଦୁଇଟି ଟିମ ଗଠନ କରି ବାଘ ଗୌଡ ଓ ତାର ଦୁଇ ପୁଅକୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢାଉ ଆରମ୍ଭ କରି ଦେଇଛି । ବାଘ ଗୌଡ ଓ ତାର ଦୁଇ ପୁଅ କାହିଁକି ଗଜେନ୍ଦ୍ରକୁ ହତ୍ୟା କଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିଲେ ମଧ୍ୟ ଜମି ବିବାଦକୁ ନେଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ହତ୍ୟାକାଣ୍ଡ ଘଟାଇ ବାଘ ଗୌଡ ଓ ତାର ଦୁଇ ପୁଅ ଫେରାର ହୋଇଯାଇଛନ୍ତି । ତେବେ ଗଜେନ୍ଦ୍ର ନାଏକ ଜଣେ ସମାଜ ସେବୀ ଭାବେ କାଶୀପୁର ବ୍ଲକରେ ବେସ ସୁନାମ ଅର୍ଜନ କରିଥିବା ବେଳେ ସେ ଗତ ଦିନରେ କାଶୀପୁର ବ୍ଲକ କଂଗ୍ରେସ ଓ ଯୁବ କଂଗ୍ରେସର ସଭାପତି ଭାବେ କାର୍ଯ୍ୟ ତୁଲାଇ ଆସିଥିଲେ ।
ଇଟିଭି ଭାରତ, ରାୟଗଡା