ରାୟଗଡା: ହଜିଯାଇଛି ସ୍ୱାସ୍ଥ୍ୟ ବିଭାଗର ମାନବିକତା । ମୃତଦେହକୁ ମିଳିଲାନି ମହାପ୍ରୟାଣ ଗାଡି । ଫଳରେ ନିଜ ୯ ବର୍ଷୀୟ ପୁଅର ମର ଶରୀରକୁ ପ୍ରାୟ 500 ମିଟର ଜନଗହଳି ରାସ୍ତାରେ କାନ୍ଧରେ ବୋହି ଜଣେ ବାପା ଓ ସାଥିରେ ମା ସହ ସଂପର୍କୀୟମାନେ କାନ୍ଦ ବୋବାଳି ପକାଇ ଯାଉଥିବା ହୃଦୟ ବିଦାରକ ଦୃଶ୍ୟ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଘଟଣାକୁ ନେଇ ଏକ ଭିଡିଓ ଭାଇରାଲ ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚକିତ୍ସାଧିକାରୀ ଡାକ୍ତର ଲାଲମୋହନ ରାଉତରାଏ ।
ଏ ଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ସଦର ମହକୁମା ସ୍ଥିତ ହରିଜନ ସାହିରେ। ମୃତ ଶିଶୁ ଜଣକ ହେଲେ ସୂରଧର ବେନିଆଙ୍କ ୯ ବର୍ଷୀୟ ପୁଅ ଆକାଶ ବେନିଆ । ଗତକାଲି ରାତ୍ରିରେ ଆକାଶକୁ ଝାଡାବାନ୍ତି ହେବାରୁ ଆଜି ସକାଳେ ସେ ଅଧିକ ଗୁରୁତର ହୋଇଥିଲେ। ବାପା ସୂରଧର ଓ ପରିବାର ଲାେକେ ଆକାଶର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ । ସେହି ସମୟରେ ମେଡିକାଲରେ କାଜୁଆଲିଟି ଦାୟିତ୍ୱରେ ଥିବା ଡାକ୍ତର ରାଜେନ୍ଦ୍ର ସୋରେନ ଆକାଶକୁ ପ୍ରାଥମିକ ଚିକିତ୍ସା କରିବା ପରେ ମୃତ ଘୋଷଣା କରିଥିଲେ।
ତେବେ ଦୀର୍ଘ ସମୟ ଧରି ପୁଅର ମର ଶରୀରକୁ ନେବା ପାଇଁ କୌଣସି ବ୍ୟବସ୍ଥା ନ ପାଇ ଶେଷରେ ବାଧ୍ୟ ହୋଇ ବାପା ସୁରଧର ନିଜ କାନ୍ଧରେ ଘରକୁ ବାେହି ନେଇ ପୁଅର ଅନ୍ତିମ ସତ୍କାର କରିଥିଲେ। ତେବେ ପୁଅକୁ କାନ୍ଧରେ ବୋହି ନେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସରକାରଙ୍କ ପକ୍ଷରୁ ମର ଶରୀରକୁ ନେବା ପାଇଁ ମହାପ୍ରୟାଣ ଗାଡି ଭଳି ଅନେକ ବିଧି ବ୍ୟବସ୍ଥା ରହିଥିଲେ ସୁଦ୍ଧା ସୁରଧରଙ୍କ ପାଇଁ କାର୍ଯ୍ୟକାରୀ ହେଲା ନାହିଁ । ଯାହା କି ଦାନ ମାଝି ଘଟଣାର ପୁନୁରାବୃତ୍ତି ଭଳି ରାୟଗଡା ସହରରେ ଏଭଳି ଘଟଣା ଦେଖିବାକୁ ମିଳିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ