ରାୟଗଡ଼ା: ଜିଲ୍ଲାର ଆଇଆଇଟି ପଢିଥିବା ଝିଅ ସୋନି ସଲମା ପ୍ରିୟଦର୍ଶିନୀ ସଉରା ଲିପିର ଡିଜିଟାଇଜେସନ କରି ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ବିବେଚିତ ହୋଇ ଆଜି ସଉରା ଭାଷାର ଡିଜିଟାଇଜେସନ୍ ନେଇ ନିଜ ପକ୍ଷ ରଖିଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଉରା ଲିପିର ଡିଜିଟାଇଜେସନ ୱ୍ବେବିନାରରେ ସେଣ୍ଟ୍ରାଲ ୟୁନିଭର୍ସିଟି ହାଇଦ୍ରାବାଦର ପ୍ରଫେସର ପଞ୍ଚାନନ ମହାନ୍ତି , ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରଫେସର ସନ୍ତୋଷ କୁମାର ରଥ , ଉତ୍କଳ ୟୁନିଭର୍ସିଟି ଭୁବନେଶ୍ବରର ପ୍ରଫେସର ରମେଶ ଚନ୍ଦ୍ର ମଲ୍ଲିକ ଯୋଗଦେଇଥିବାବେଳେ ଆଇଆଇଟି ଛାତ୍ରୀ ତଥା ରାୟଗଡ଼ା ଝିଅ ସୋନି ସଲମା ପ୍ରିୟଦର୍ଶିନୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଓଡିଶା ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡା. ଭାଗ୍ୟଲିପି ମଲ୍ଲ । ରାୟଗଡ଼ାର ଆଦିବାସୀ ପରିବେଶରେ ଜନ୍ମିତ ସୁଶ୍ରୀ ସୋନି ସଲମା ପ୍ରିୟଦର୍ଶିନୀ ଭୁବନେଶ୍ୱର ସିଇଟିରୁ କମ୍ପ୍ୟୁଟର ଇଂଜିନିୟରିଂ ଶେଷ କରି ୨୦୧୪ରେ ବମ୍ବେ ଆଇଆଇଟିରୁ ଇଣ୍ଡଷ୍ଟ୍ରିଆଲ୍ ଡିଜାଇନରେ ସ୍ନାତକୋତ୍ତର କରିଛନ୍ତି । ପରବର୍ତ୍ତୀ ସମୟରେ ଆଇଆଇଟି ପ୍ରଫେସର ଗିରୀଶ ଡାଲଭିଙ୍କ ସହାୟତାରେ ଟାଇପୋଗ୍ରାଫି (ମୁଦ୍ରାଙ୍କନ) ଉପରେ ନିଜର ପ୍ରୋଜେକ୍ଟ କରିଛନ୍ତି । ସୋନି ସଉରା ଭାଷାର ପ୍ରଚାର, ପ୍ରସାର ସହିତ ଏହି ପିଢ଼ିକୁ ଶିକ୍ଷିତ କରିବା ପାଇଁ ସଉରା ଲିପିର କମ୍ପ୍ୟୁଟରୀକୃତ ଅକ୍ଷରମାଳା ତିଆରି କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଟାଟା କଂସଲଟାନ୍ସୀ ସର୍ଭିସ, ଇନଫୋସିସ ଓ ବସ ଭଳି ସଂସ୍ଥାମାନଙ୍କରେ ୟୁଏକ୍ସ ଡିଜାଇନର ଭାବେ କାର୍ଯ୍ୟ କରିଛନ୍ତି ଓ ଜର୍ମାନ ଭଳି ଦେଶରେ ତାଙ୍କର ଅନୁସନ୍ଧାନକୁ ଉପସ୍ଥାପିତ କରିଛନ୍ତି । ଏକ ଆନ୍ତର୍ଜାତୀୟ ସେମିନାରରେ ସୌରା ଭାଷା ଡିଜିଟାଇଜେସନ ଉପରେ ତାଙ୍କର ସନ୍ଦର୍ଭ ଉଚ୍ଚ ପ୍ରଶଂସିତ ହୋଇଛି ।
ଏତଦ ବ୍ୟତୀତ ସେ ଚିତ୍ରକଳା, ସଙ୍ଗୀତ, ଆନନ୍ଦଦାୟକ ଶିଶୁ ଶିକ୍ଷା, ପର୍ବତାରୋହଣରେ ମଧ୍ୟ ରୁଚି ରଖନ୍ତି । ବାଉଁଶ ଘର ଓ ଉପକରଣ ଏବଂ ନଡ଼ିଆ ସଢ଼େଇରୁ ସରଞ୍ଜାମ ଡିଜାଇନ କରିଛନ୍ତି ସୋନି ସଲମା । ପ୍ରାକୃତିକ ଚାଷ ସମ୍ବନ୍ଧୀୟ ଓ ଅନ୍ୟାନ୍ୟ ୱେବସାଇଟ ଡିଜାଇନ କରିଛନ୍ତି । ଏସବୁକୁ ପାଥେୟ କରି ସ୍ଥାନୀୟ ଉନ୍ନୟନ କିପରି ଅଗ୍ରଗତି ହୋଇପାରିବ ସେ ବିଷୟରେ ସେ ସବିଶେଷ ଅନିସନ୍ଧିତ୍ସୁ । ତେବେ ତାଙ୍କୁ ଭେଟି ଥିଲା ଆମ ଟିମ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ