ରାୟଗଡା: ମହାମାରୀ ପ୍ରଭାବରେ ସବୁ କବଳିତ । ସବୁଠି ପଡିଛି କରୋନା ପ୍ରଭାବ । ଏଥିରୁ ବାଦ ପିଡିନି ଅବକାରୀ ବିଭାଗ । ରାଜ୍ୟର ସିଂହ ଭାଗ ରାଜସ୍ଵ ଅବକାରୀ ବିଭାଗରୁ ଆସୁଥିବା ବେଳେ ଏବେ ଚିନ୍ତାରେ ସରକାର । ଏପରିକି ଚଳିତ ବର୍ଷ କୋରୋନ ଯୋଗୁଁ ଅବକାରି ବିଭାଗର ବଜେଟ ହୋଇପାରି ନଥିବା ବେଳେ ବିଗତ ବର୍ଷର ଟାର୍ଗେଟ ଆଧାରରେ ଅଦାୟ ହେଉଛି ରାଜସ୍ବ । ସୂଚନା ଅନୁସାରେ 1999-2000 ଆର୍ଥିକ ବର୍ଷରେ ଅବକାରୀ ବିଭାଗର ରାଜସ୍ବ ଟାର୍ଗେଟ 130 କୋଟି ଥିଲା, ଆଦାୟ ହୋଇଥିଲା 114 କୋଟିରୁ ଅଧିକ । କିନ୍ତୁ 2000 ମସିହା ପରଠାରୁ ଅବକାରୀ ବିଭାଗର ରାଜସ୍ବ ଆଶାତୀତ ଭାବେ ବଢିଛି । 114 କୋଟିରୁ ଏବେ 4 ହଜାର 600 କୋଟିରେ ପହଞ୍ଚିଲାଣି । ରାଜ୍ୟର ବିକାଶ ପାଇଁ ଅବକାରୀ ବିଭାଗର ରାଜସ୍ବ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବେଳେ ଏବେ କରୋନା ସାଜିଛି ବାଧକ ।
ସେପଟେ ସରକାରଙ୍କ ଆଶା ଥିଲା କୋଭିଡ ଟ୍ୟାକ୍ସ ମାଧ୍ୟମରେ ଟାର୍ଗେଟ ପୂରଣ କରିବେ । କିନ୍ତୁ ବିଭାଗୀୟ ଗଳା ବାଟ ଯୋଗୁଁ ତାହା ମଧ୍ୟ ସମ୍ଭବ ହେଲା ନାହିଁ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ରାଜ୍ୟ ପାନୀୟ ନିଗମ ବୋର୍ଡରୁ ରେକର୍ଡ ମୁତାବକ ମଦ ବ୍ୟବସାୟୀ ସରକାରଙ୍କ ଦ୍ଵାରା ଧାର୍ଯ୍ୟ କୋଟାରୁ (MGQ) ରୁ କୋରୋନା ସମୟରେ ଉଠାଇଛନ୍ତି । ହେଲେ ଧାର୍ଯ୍ୟ 50 ପ୍ରତିଶତ କୋଭିଡ ଟ୍ୟାକ୍ସ ଦେବାରେ ବିଫଳ ହୋଇଛନ୍ତି । ତେବେ ଢୋଲ ଭିତରେ ମୂଷା ଖୋଜା ନ୍ୟାୟରେ ବିଭାଗୀୟ ସଚିବ ତିନି ତିନି ଥର ମଦ ଦୋକାନର ଷ୍ଟକ ଭେରିଫିକେଶନ ନିର୍ଦେଶ ପରେ ମଧ୍ୟ ଫଳ ଶୂନ ।
ଏଠି ପ୍ରଶ୍ନ ଉଠୁଛି ଗତ 5 ମାସରେ ସରକାରଙ୍କ ଆକଳନର କୋଭିଡ ଟ୍ୟାକ୍ସ ଗଲା କୁଆଡେ ? ଦ୍ଵିତୀୟତଃ ଏହି ସମୟ ମଧ୍ୟରେ ପୋଲିସ ଠାରୁ ଆରମ୍ଭ କରି ରାଜସ୍ବ ବିଭାଗ ପର୍ଯ୍ୟନ୍ତ ସମସ୍ତେ କୋଭିଡ ପରିଚାଳନାରେ ନିୟୋଜିତ ଥିଲେ । ଏହାର ସୁଯୋଗ ନେଇ ଗାଁ ଗାଁ ରେ ଖୋଲିଲା ଚୋରା ଦେଶୀ ମଦ ଭାଟି । ରାଜସ୍ବ କମିବାର ଏହା ଏକ ବଡ କାରଣ କୁହାଯାଉଛି । ତେବେ ଏ ଦିଗରେ ସ୍ଵତନ୍ତ୍ର ତଦନ୍ତ ଟିମ ଗଠନ କରାଯାଇ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚିତ ହେବ ଓ ରାଜସ୍ବ ବଢିବ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ