ରାୟଗଡା : ବିଏସଏଫ୍ ଆଇଜି ମଧୁସୂଦନ ଶର୍ମା ଶୁକ୍ରବାର ଦିନିକିଆ ରାୟଗଡା ଜିଲ୍ଲାର କାଶୀପୁରରେ ଥିବା ୬୮ ବାଟାଲିୟନ୍ ଗସ୍ତ କରି ଯବାନଙ୍କ ସହ ଆଲୋଚନା କରିଛନ୍ତି । ୩୦ ମିନିଟ୍ ଧରି ଆଇଜି, କ୍ୟାମ୍ପ ପରିସରରେ ମାଓ ମୁକାବିଲା ସମ୍ପର୍କରେ ଯବାନଙ୍କ ସହ ଆଲୋଚନା କରିଥିଲେ । କଳାହାଣ୍ଡି-ରାୟଗଡ଼ା ସୀମାନ୍ତରେ ମାଓବାଦୀଙ୍କ ଗତିବିଧି ବଢ଼ୁଥିବାରୁ ମାଓବାଦୀଙ୍କ ଉପରେ ନଜର ରଖିବାକୁ ଆଇଜି ନିର୍ଦ୍ଦେଶ ଦେଇଛନ୍ତି ଆଇଜି ମଧୁସୂଦନ ଶର୍ମା ।
ଗୁଇନ୍ଦା ସୂଚନାକୁ ଭିତ୍ତି କରି କଳାହାଣ୍ଡିର ତ୍ରିଲୋଚନପୁର, ଥୁଆମୂଳରାମପୁର, ରାୟଗଡ଼ାର ନିୟମଗିରି ଇଲାକାରେ ମାଓବାଦୀ ଆଶ୍ରୟ ନେବା ସହ ଅଘଟଣ ଘଟାଇବାକୁ ଯୋଜନା ରହିଥିବା ଜଣା ପଡିଛି । ଅନ୍ୟ ରାଜ୍ୟ ଓ ଜିଲ୍ଲାରେ ଅଘଟଣ ଘଟାଇ ମାଓବାଦୀ ମାନେ ରାୟଗଡ଼ା-କଳାହାଣ୍ଡି ସୀମାନ୍ତ ଭିତରକୁ ପଶି ସୁରକ୍ଷା ନେଉଥିବା ଗୋଇନ୍ଦା ସୂତ୍ରରୁ ଜଣାପଡିଛି । ତେଣୁ, ନିୟମିତ ବ୍ୟବଧାନରେ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର କରିବାକୁ ଆଇଜି ଯବାନଙ୍କୁ ପରାମର୍ଶ ଦେଇଛନ୍ତି ।
ସ୍ବତନ୍ତ୍ର ହେଲିକପ୍ଟର୍ ଯୋଗେ ଆଇଜି ଶର୍ମା ପୂର୍ବାହଣ୍ ୧୧ଟା ରେ କାଶୀପୁରରେ ପହଞ୍ଚିଥିଲେ । ଆଇଜିଙ୍କ ସହ ଡିଆଇଜି ପି.କେ ମିଶ୍ର, ଏସ୍.କେ ସିଂହ, ଏ.ଏସ୍. ରାଥୋଡ୍, ସୁକୁମାର ଷଡଙ୍ଗୀ କାଶୀପୁର ଗସ୍ତରେ ଆସିଥିଲେ । ୬୮ ବାଟାଲିଆନର କମାଣ୍ଡାଣ୍ଟ୍ ଓ.ପି ଶର୍ମା, କାଶୀପୁର କମାଣ୍ଡାଣ୍ଟ୍ ଅଶୋକ କୁମାର ବର୍ମା ଆଲୋଚନା ସମୟରେ ଉପସ୍ଥିତ ଥିଲେ ।
ମାଓ ମୁକାବିଲା ପାଇଁ ରାୟଗଡ଼ା-କଳାହାଣ୍ଡି ସୀମାନ୍ତ ତ୍ରିଲୋଚନପୁରରେ ସିଆରପିଏଫର କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ନିୟମଗିରି ପାହାଡ଼ ସମେତ କଳାହାଣ୍ଡିରୁ ରାୟଗଡ଼ା ଦେଇ ମାଓବାଦୀ କନ୍ଧମାଳକୁ ଯାତାୟାତ କରୁଥିବାରୁ ମାଓବାଦୀଙ୍କ କାର୍ଯ୍ୟକଳାପ ରୋକିବାକୁ ତ୍ରିଲୋଚନପୁରରେ କ୍ୟାମ୍ପ ପ୍ରତିଷ୍ଠା କରିଥିଲେ ।
କ୍ୟାମ୍ପ ପ୍ରତିଷ୍ଠା ପରେ ମାଓବାଦୀ ଗତିପଥ ବଦଳାଇବା ପରେ ଇତି ମଧ୍ୟରେ ୩ ଥର ପୋଲିସ୍-ଯବାନଙ୍କ ସହ ମାଓବାଦୀ ମୁହାଁମୁହିଁ ହେଲେଣି । ଆଜି କଳାହାଣ୍ଡି ଜିଲ୍ଲାର ଲୁବେନଗଡ଼ ଜଙ୍ଗଲରେ ପୋଲିସ୍-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଗୁଳି ବିନିମୟରେ ୨ରୁ ୩ ମାଓବାଦୀଙ୍କ ମୃତ୍ୟୁ ହେଉଥିବା ସୂଚନା ମିଳିଥିଲେ ମଧ୍ୟ ସର୍ଚ୍ଚ ଅପରେସନ୍ ଚାଲିଥିବା ଯୋଗୁଁ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ