ରାୟଗଡା : ରାଜ୍ୟରେ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ରବିବାର ଶେଷ ହୋଇଛି । ବିଭିନ୍ନ ସ୍ଥାନରେ ବୁଥ କ୍ୟାପଚରିଂ ଓ ମତଦାନ କେନ୍ଦ୍ରରେ ହିଂସା ଖବର ସାମ୍ନାକୁ ଆସୁଛି । ଏହି କ୍ରମରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରାଇଲିମା ବୁଥର ଭୋଟ ବାକ୍ସକୁ ଡଙ୍ଗରିଆ ଲୁଟି ନେଇଥିବା ଅଭିଯୋଗ ଆସିଛି ।
ଭୋଟ ତାଲିକାରେ ସେମାନଙ୍କର ନାମ ନଥିବାରୁ ଏଭଳି ହଙ୍ଗାମା କରିଥିଲେ ଡଙ୍ଗରିଆ । ସୂଚନା ଅନୁସାରେ, ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହୋଇଥିଲା । ରାୟଗଡାର ତଳ ମୁସୁଡି ଓ ଉପର ମୁସୁଡି ଲୋକେ ଭୋଟ ଦେବା ପାଇଁ କେନ୍ଦ୍ରକୁ ଯାଇଥିଲେ । ହେଲେ କଲ୍ୟାଣସିଙ୍ଗପୁର ବ୍ଲକର ସୁନଖଣ୍ଡି ପଞ୍ଚାୟତର ରାଇଲିମା ଭୋଟ କେନ୍ଦ୍ରରେ ପହଞ୍ଚିଲା ବେଳକୁ ସେମାନଙ୍କ ମଧ୍ୟରୁ ୧୨୦ ଜଣ ଭୋଟରଙ୍କ ନାମ ନ ଥିଲା ।
ଏହାବି ପଢନ୍ତୁ : ସାମ୍ବାଦିକଙ୍କୁ ମାଡ଼ ପ୍ରସଙ୍ଗ: ନିର୍ବାଚନ ଆୟୋଗଙ୍କୁ ଭେଟିଲେ ବରିଷ୍ଠ ସାମ୍ବାଦିକ
ଫଳରେ ଏଥିରେ ଉତ୍ୟକ୍ତ ହୋଇ ଭୋଟ ବାକ୍ସକୁ ଲୁଟି ନେଇଥିଲେ ପଡିଥିଲେ ଡଙ୍ଗରିଆ । ପରେ ଘଟଣାସ୍ଥଳରେ ପୋଲିସ ଓ ତହସିଲଦାର ପହଞ୍ଚି ଉତ୍ୟକ୍ତ ଡଙ୍ଗରିଆମାନଙ୍କୁ ବୁଝାସୁଝା କରିଥିଲା । ପୁଣି ଭୋଟ ଦେବା ପାଇଁ ପୁନଃ ନିର୍ବାଚନ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ତହସିଲଦାର । ପରେ ପ୍ରଶାସନକୁ ଭୋଟ ବାକ୍ସ ଫେରାଇଥିଲେ ଡଙ୍ଗରିଆ । ଫଳରେ ରାଇଲିମା ବୁଥର ଭୋଟ ଗ୍ରହଣରେ ବ୍ୟାଘାତ ସୃଷ୍ଟି ହୋଇଥିଲା ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ