ରାୟଗଡା:ନା ବାଜୁଛି ବାଜା ନା ଶୁଭୁଛି ଶଙ୍ଖ । ଭକ୍ତଙ୍କ ହୁଳହୁଳିରେ କମ୍ପୁନି ମନ୍ଦିର ପରିବେଶ। କୋରୋନା କଟକଣା ଯୋଗୁଁ ରାୟଗଡ଼ା ସହରର ଅଧିଷ୍ଟାତ୍ରୀ ଦେବୀ ମଝିଘରିଆଣୀଙ୍କ ପୀଠ ହୋଇ ଉଠିଛି ଖାଁ ଖାଁ । ଫଳରେ ଗୋଟିଏ ପଟେ ଭକ୍ତ ମା’ଙ୍କ ଦର୍ଶନରୁ ବଞ୍ଚିତ ତ ଅନ୍ୟପଟେ ଭକ୍ତଙ୍କ ଦ୍ଵାରା ଆଦାୟ ରାଜସ୍ବ ନମିଳିବା ଯୋଗୁଁ ମନ୍ଦିର ପରିଚାଳନାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ମନ୍ଦିରଟି ଓଡିଶା - ଆନ୍ଧ୍ର ସୀମାନ୍ତ ରାୟଗଡ଼ ଜିଲ୍ଲାର ସଦର ମହକୁମାରେ ରହିଛି।
ଯଦିଓ ମନ୍ଦିରଟି ଓଡିଶାର କିନ୍ତୁ ହଜାର ହଜାର ଆନ୍ଧ୍ର ଭକ୍ତଙ୍କ ରାଜସ୍ବରେ ପରିଚାଳିତ ହେଉଛି। ସ୍ଵତନ୍ତ୍ର ଦର୍ଶନ ଠାରୁ ଆରମ୍ଭ କରି ଭୋଗ ବିକ୍ରି ସବୁଥିରୁ ମନ୍ଦିରର ରାଜସ୍ବ ଆଦାୟ ହୋଇଥାଏ । ଏପରିକି ମନ୍ଦିର ପରିସର ଏବଂ ବାହାରେ 72 ଗୋଟି ଦୋକାନ ଘର ଭଡା ସୂତ୍ରରେ ଦିଆଯାଉଛି । ମୋଟାମୋଟି ଭାବେ ବାର୍ଷିକ 4 କୋଟିରୁ ଉର୍ଦ୍ଧ ଟଙ୍କା ବିଭିନ୍ନ ସୂତ୍ରରୁ ମନ୍ଦିର ପରିଚାଳନା ଏବଂ ଉନ୍ନୟନ ପାଇଁ ମିଳିଥାଏ ।
ଚଳିତ ବର୍ଷ କୋରୋନା ଯୋଗୁଁ ଦୀର୍ଘ 10 ମାସ ଧରି ମନ୍ଦିର ବନ୍ଦ ରହିଥିଲା। ଗୋଟିଏ ପଟେ ଦୋକାନ ବଜାର ବନ୍ଦ ସାଙ୍ଗକୁ ଭକ୍ତଙ୍କ ଉପରେ କଟକଣା ମନ୍ଦିରର ରାଜସ୍ବ ଆଦାୟ ଉପରେ ଘୋର ପ୍ରଭାବ ପକାଇଛି । ଏପରିକି ଅନେକ କର୍ମଚାରୀ ଛଟେଇ ହୋଇଥିବା ବେଳେ ପୂଜକଙ୍କ କଥା ନ କହିଲେ ଭଲ ।
ଏହି ମନ୍ଦିରର ପୂଜା ରୀତିକାନ୍ତି ପାଇଁ 24 ପରିବାର ନିୟାଜିତ ହୋଇଛନ୍ତି । ଯଦିଓ ମନ୍ଦିରଟି ଦେବତ୍ତର ବିଭାଗ ଅଧୀନରେ ଅଛି ତଥାପି ମନ୍ଦିର ପୂଜକଙ୍କ ପାଇଁ ପାରିଶ୍ରମିକ କି ଦରମାର ବ୍ୟବସ୍ଥା କରାଯାଇ ନାହିଁ । ଭକ୍ତଙ୍କ ଦ୍ଵାରା ଯାହା ଥାଳିରେ ଦକ୍ଷିଣା ମିଳେ ସେଥିରେ ପୂଜକଙ୍କ ପରିବାର ଚଳେ । ଏଭଳି ସ୍ଥିତିରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା କେବେ ଖୋଲିବ ମନ୍ଦିର କେବେ ସୁଧୁରିବ ସ୍ଥିତି।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ