ରାୟଗଡା: କୋରୋନା ସଚେତନତା ପାଇଁ 'ଚକା ଉପରେ ମଞ୍ଚ' କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ରାୟଗଡ ଜିଲ୍ଲାରେ କୋଭିଡ ସଚେତନତା ପାଇଁ ଏହି କାର୍ଯ୍ୟକ୍ରମକୁ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
ଏହି କୋଭିଡ ସଚେତନତା ରଥରେ ସ୍ଥାନୀୟ କଳାକାରମାନେ ନାଚଗୀତ ମାଧ୍ୟମରେ ରାୟଗଡା ଏବଂ କୋଲନରା ବ୍ଲକର ବିଭିନ୍ନ ଗ୍ରାମରେ ସଚେତନତା ବାର୍ତ୍ତା ପ୍ରଚାର କରିବେ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଚାଇଲ୍ଡ ଫଣ୍ଡ ଓ ୟୁନିସେଫର ମିଳିତ ପ୍ରୟୋଜନାରେ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ଧରି ଚାଲିବ । ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ଏହି ରଥ ୨ ଟି ବ୍ଲକରେ ପରିଭ୍ରମଣ କରି ଲୋକଙ୍କୁ ସଚେତନ କରିବ ।
ବିଶେଷ କରି ନିୟମିତ ହାତଧୂଆ, ସାନିଟାଇଜର୍ ବ୍ୟବହାର ଓ ମାସ୍କ ବ୍ୟବହାର ତଥା ସାମାଜିକ ଦୂରତା ବଜାୟ ରଖିବା ନିମନ୍ତେ ଜନସାଧାରଣଙ୍କୁ ସଚେତନତା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ।
ରାୟଗଡାରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ