ରାୟଗଡା: ସଂଧ୍ୟା ହେଲେ ପୁରିଯାଉଛି ଚଇତି ପଡିଆ । ହଜାର ହଜାର ଦର୍ଶକଙ୍କ ଗହଳ ଚହଳରେ ଜଣା ପଡୁନି ଜାଡ । ସ୍ଥାନୀୟ କଳାକାର ଓ ଅତିଥି କଳାକାରଙ୍କ ଚିତାକର୍ଷକ ନୃତ୍ୟରେ ଦୁଲୁକୁଛି ଚଇତି ମଞ୍ଚ । ରାୟଗଡା ଲୋକ ମହୋତ୍ସବ ଚଇତିର ତୃତୀୟ ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ପ୍ରାୟ 50 ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ସମାଗମ । ଏଥିରେ ଜିଲ୍ଳାପାଳ ତଥା ଜିଲ୍ଳା ସଂସ୍କୃତି ପରିଷଦର ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସାହିତ୍ୟିକ ଡମ୍ବୁରୁଧର ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।
ରବିବାର ସନ୍ଧ୍ୟାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଇସ୍ପାତ ଓ ଖଣି ତଥା ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଳ କୁମାର ମଲ୍ଳିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ ଚଇତି ମହୋତ୍ସବ କଳା, ସଂସ୍କୃତି ଓ ପରମ୍ପରାକୁ ଉଦଜୀବିତ କରିବା ସହ ଏକ ଭାଇଚାରାର ବାର୍ତ୍ତା ବାହକ ହୋଇପାରିଛି ବୋଲି ପ୍ରକାଶ କରଥିଲେ ।
ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ଇ-ମାର୍ଟ ଭୁବନେଶ୍ବରର କଳାକାରମାନଙ୍କ ଦ୍ବାରା ଓଡିଶୀ, ପାର୍ସାଲିର ଡିକେଡିଏ ସଂସ୍ଥା ଦ୍ବାରା ପାରମ୍ପରିକ ନୃତ୍ୟ, ଆଦିବାସୀ ନୃତ୍ୟ, ବିଶାଖାପାଟଣାର କୁଚିପୁଡି, ଗୁଣପୁର ଓ ପଦ୍ମପୁର ବ୍ଳକ କଳା ସଂସ୍କୃତି ପରିଷଦ ଦ୍ବାରା ପାରମ୍ପରିକ ନୃତ୍ୟ ଲୋକଙ୍କୁ ଢେର ସମୟ ପାଇଁ ବାନ୍ଧି ରଖିଥିଲା । ତେଣେ ହାଇଦ୍ରାବାଦରୁ ଆସିଥିବା ପ୍ରଖ୍ୟାତ ହାସ୍ୟ କଳାକାର ଉଦୟ କିରଣ, ବୁଲେଟ ଭାସ୍କର ଓ ସୁନାମୀ ସୁଧାକରଙ୍କ ହାସ୍ୟ ଅଭିନୟରେ ଉପସ୍ଥିତ ହଜାର ହଜାର ଦର୍ଶକ ହସି ହସି ବେଦମ ହୋଇଯାଇଥିଲେ ।
ସେହିପରି ପୁରୁଲିଆ ଛଉ ନୃତ୍ୟ, ଶ୍ରୀଲଙ୍କାର ପାରମ୍ପରିକ ନୃତ୍ୟ ଦର୍ଶକଙ୍କୁ ମନମୁଗ୍ଧ କରିପାରିଥିଲା । ଦୃଷ୍ଟିବାଧିତ କ୍ରିକେଟ କୋଚ ଚନ୍ଦ୍ରଶେଖର ପଟ୍ଟନାୟକ,ଖମ୍ବେସୀର ସମାଜସେବୀ ସାନ୍ତୁନୁ ମହାପାତ୍ର ଓ କାଶୀପୁରର ବୃକ୍ଷବନ୍ଧୁ ଭାବେ ପରିଚିତ ମୂରଲୀ ଗଉଡଙ୍କୁ ଚଇତି ସମ୍ମାନ-2019ରେ ସମ୍ମାନୀତ କରାଯାଇଥିଲା ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ