ରାୟଗଡା: ବାଇକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ କାର ଦୁର୍ଘଟଣାରେ 4 ଜଣ ଆହତ ହୋଇଛନ୍ତି । ଏକ କଳା ରଙ୍ଗର କାର ବିଳମ୍ବିତ ରାତିରେ ଜେକେପୁରରୁ ରାୟଗଡ଼ା ଆସିବା ବାଟରେ କତାପେଟା ପୁର୍ବରୁ ଏକ ବ୍ରିଜ ତଳକୁ ଖସିଯାଇଛି । ଏହି କାରରେ ଥିବା ଡ୍ରାଇଭର ସମେତ ୪ ଜଣ ଗୁରୁତର ଆହତ ହୋଇଥିବା ଜଣା ପଡିଛି ।
ଆହତମାନଙ୍କୁ ପ୍ରଥମେ ରାୟଗଡା ଜିଲ୍ଲା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ମୁଣ୍ଡରେ ଆଘାତ ଯୋଗୁଁ ଗୁରୁତର ଅବସ୍ଥାରେ ସେମାନଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ତେବେ ରିପୋର୍ଟ ଲେଖା ହେବା ସୁଦ୍ଧା ଆହତଙ୍କ ପରିଚୟ ମିଳିପାରି ନାହିଁ । ଘଟଣାରୁ ପ୍ରକାଶ କି କାରଟି ଆସିବା ବାଟରେ ପୁର୍ବରୁ ଏକ ମୋଟର ସାଇକେଲ ଅନ୍ୟ ଜଣକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଆହତ ବ୍ୟକ୍ତି ରାସ୍ତା ଉପରେ ପଡିଥିବା ବେଳେ ତାକୁ ବଞ୍ଚେଇବା ପାଇଁ ଦିଗ ବଦଳାଇ ଥିବା କାରଟି ନିକଟରେ ଥିବା ବ୍ରିଜ ତଳକୁ ଖସିପଡିଥିଲା ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହ ମୋଟରସାଇକେଲ ଆରୋହୀ କିମ୍ବା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଏପର୍ଯ୍ୟନ୍ତ ପତ୍ତା ମିଳି ପାରିନାହିଁ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ