ରାୟଗଡା: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସୁଥିବା ବାସଗୃହକୁ ରାୟଗଡା ଜିଲ୍ଲାରେ କାର୍ଯ୍ୟକାରୀ କରିବା ପାଇଁ ବିଜେପି ପକ୍ଷରୁ ଦାବି ହୋଇଛି । ରାୟଗଡା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏବଂ ଗରିବ ସୀମାରେଖା ତଳେ ବସବାସ କରୁଥିବା ପ୍ରକୃତ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ହେଉଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଛି ।
ରାଜ୍ୟକୁ ପ୍ରାୟ ୮ ଲକ୍ଷ ୧୭ ହଜାର ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଏନେଇ ରାୟଗଡା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥି ବସନ୍ତ ଉଲାକା, ନଗର ସଭାପତି ଶ୍ୟାମ ସୁନ୍ଦର ଦାସ ପ୍ରମୁଖ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ରାୟଗଡା ନିର୍ବାଚନ ମଣ୍ଡଳୀରେ ରହୁଥିବା ୧୫ ହଜାର ଗରୀବ ଲୋକଙ୍କ ତାଲିକା ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀ ଆବାସ ଗୃହ ପ୍ରଦାନ କରିବା ପାଇଁ ଦାବି କରାଯାଇଥିଲା ।
ସେହିପରି ଯୁବମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡାଙ୍କ ନେୃତୃତ୍ବରେ ଏକ ଟିମ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏକ ଦାବି ପତ୍ର ପ୍ରଦାନ କରି ଜିଲ୍ଲାରେ ଆବାସ ଗୃହ ପ୍ରଦାନ ପାଇଁ ଚିହ୍ନଟ ପକ୍ରିୟାକୁ ତ୍ବାରାନିତ୍ବ କରି ଗରୀବ ଲୋକଙ୍କୁ ତୁରନ୍ତ ଆବାସ ଯୋଜନା ପ୍ରଦାନ ପାଇଁ ଦାବି କରିଥିଲେ ।
ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ