ରାୟଗଡ଼ା: ଡିପି ତଥା ସମ୍ପୂର୍ଣ୍ଣ ବାସଚ୍ୟୁତ ମାନ୍ୟତା ଦାବିରେ ଗିରଫ ଗର୍ଭବତୀ ମହିଳା ଜେଲରୁ ଫେରିବା ପରେ ମୃତ୍ୟୁ ଘଟଣା । ଏ ନେଇ ଜୋର ଧରିବାରେ ଲାଗିଛି ରାଜନୀତି । ଆଜି ବିଜେପି ଏନେଇ ନ୍ୟାୟିକ ତଦନ୍ତ ଦାବି କରିଛି । କାଶୀପୁର ବ୍ଲକରେ ପ୍ରତିଷ୍ଠା ହୋଇଥିବା ଉତ୍କଳ ଆଲୁମିନା କାରଖାନାର ପାଫଲା ମାଳି ଖଣି ଅଞ୍ଚଳବାସୀ ପ୍ରାୟ ୨ ଦଶନ୍ଧି ଧରି ଡିପି ମାନ୍ୟତା ପାଇଁ ଦାବି କରିଆସୁଥିବା ବେଳେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏହି ଘଟଣାରେ ଗର୍ଭବତୀ ମହିଳାଙ୍କୁ ଗିରଫ କରାଯାଇଥିଲା ।
ସୋମବାର ବିଜେପିର ଆଦିବାସୀ ମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦକ କଳିରାମ ମଝିଙ୍କ ନେତୃତ୍ୱରେ ରାଜ୍ୟ ଉପସଭାପତି ତଥା ପୂର୍ବତନ ନବରଙ୍ଗପୁର ସାଂସଦ ଇଂ ବଳଭଦ୍ର ମାଝି ଏବଂ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ନେଇ ଗଠିତ ୩ ଜଣିଆ ଟିମ ପ୍ରଥମେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଯାଇ ସେଦିନ ଦାୟିତ୍ଵରେ ଥିବା ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ । ପରେ ଅଣ୍ଡିରାକଞ୍ଚ ଗ୍ରାମକୁ ଯାଇ ମୃତ ମୂଳାବତି ନାୟକଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ସେଠାରୁ ରାୟଗଡା ଫେରି ଉପଖଣ୍ଡୀୟ କାରାଗାରକୁ ଯାଇ ମୃତ ମୂଳାବତିଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ ।
ପରେ ସନ୍ଧ୍ୟାରେ ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମିଳନୀରେ ରାଜ୍ୟ ଉପସଭାପତି ତଥା ପୂର୍ବତନ ନବରଙ୍ଗପୁର ସାଂସଦ ଇଂ ବଳଭଦ୍ର ମାଝି ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଘଟଣାରେ ପୀଡିତ ପରିବାରକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ନ୍ୟାୟିକ ତଦନ୍ତ କରିବାକୁ ଦାବି କରିଛନ୍ତି । ସେପଟେ ଏହି ମାମଲାରେ ଅଣ୍ଡିରାକଞ୍ଚ ଆଇଆସି ଓ ଏସଆଇଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଦାବି କରିଛନ୍ତି । ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ବିଜେପି ଆନ୍ଦୋଳନ କରିବାସହ ଦରକାର ପଡିଲେ ରାଜରାସ୍ତାକୁ ଓହ୍ଳାଇବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଅପରପକ୍ଷେ ଗତକାଲି ରାୟଗଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ କରିବା ସହ ସାମ୍ବାଦିକ ସମିଳନୀରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍କାକା ଯୋଗ ଦେଇ ୬ ଦଫା ଦାବି ଉପସ୍ଥାପନ କରିବାସହ ପୋଲିସ ଏସଡ଼ିପିଓ, ଅଣ୍ଡିରାକଞ୍ଚ ଆଇଆସି ଓ ଏସଆଇଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି କରିଥିଲେ । ଆସନ୍ତା ୧୫ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଫେବୃଆରୀ ୬ ତାରିଖରେ ଉତ୍କଳ ଆଲୁମିନା କମ୍ପାନୀ ସମୁଖରେ ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ । ଆଜି ମଧ୍ୟ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ନେତୃତ୍ଵରେ ଏକ ଟିମ୍ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ମାନପାତ୍ର ଜିଲ୍ଲାପାଳ ଏବଂ ଏସପିଙ୍କୁ ଦେଇଛନ୍ତି ।
ସୂଚନା ଥାଉ କି କାଶୀପୁର ବ୍ଲକରେ ପ୍ରତିଷ୍ଠା ହୋଇଥିବା ଉତ୍କଳ ଆଲୁମିନା କାରଖାନାର ବାଫଲା ମାଳି ଖଣି ଅଞ୍ଚଳରେ ବସବାସ କରୁଥିବା ଅଣ୍ଡିରାକଞ୍ଚ ଏବଂ ପାଇକ କୁପାଖାଲ ଗ୍ରାମାଞ୍ଚଳର ଲୋକେ ଡିପି ତଥା ସମ୍ପୂର୍ଣ୍ଣ ବାସଚ୍ୟୁତ ମାନ୍ୟତା ପ୍ରଦାନ ଦାବିରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଥିଲେ । ସେହି ସମୟରେ ସ୍ଥାନୀୟ ଅଞ୍ଚଳରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ମାଜିଷ୍ଟ୍ରେଟ ଡ୍ୟୁଟିରେ ଥିବା କାଶୀପୁର ଅତିରିକ୍ତ ତହସିଲଦାର ଉପସ୍ଥିତରେ ଆନ୍ଦୋଳନକାରୀ ୧୩ ଜଣ ମହିଳାଙ୍କୁ ଗିରଫ କରାଯାଇ କୋର୍ଟ ଚାଳନ କରାଯାଇଥିଲା ।
ସେହି ଗିରଫଙ୍କ ମଧ୍ୟରେ ଅଣ୍ଡିରାକଞ୍ଚ ଗ୍ରାମର ଗର୍ଭବତୀ ବୈଦନାଥ ନାୟକ ସ୍ତ୍ରୀ ମୂଳାବତି ନାୟକ ଥିଲେ । ଗତ ୧୦ ତାରିଖରେ ତାଙ୍କୁ ଜମାନତ ମିଳିଥିବା ବେଳେ ପ୍ରସବ ବେଦନା ହେବାରୁ ପରିବାର ଲୋକେ ତାଙ୍କୁ ରାୟଗଡା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ୧୨ ତାରିଖ ରାତିରେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହେବାପରେ ସେ ଗୁରୁତର ହୋଇ ଯାଇଥିଲେ । ୧୩ ତାରିଖରେ ତାଙ୍କୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଇଟିଭି ଭାରତ, ରାୟଗଡ଼ା