ରାୟଗଡା: କୋଟିଆ ବିବାଦ ମଧ୍ୟରେ ସାମ୍ନାକୁ ଆସିଛି ଆନ୍ଧ୍ରର ନୂଆ ଚାଲ୍ । ବଂଶଧରା ପରେ ନାଗାବଳୀ ନଦୀ ଉପରେ ଲୋଲୁପ ଦୃଷ୍ଟି ପକାଇଛି ପଡୋଶୀ । ପୋଲାଭରମ, ନରେଡି, ଝଞ୍ଜାବତୀ ଭଳି ଓଡିଶା ସୀମାରେ ଆଉ ଏକ ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି ଆନ୍ଧ୍ର ସରକାର । ଓଡ଼ିଶା ସୀମାରୁ ୮ କିମି ଦୂର ବିଜୟନଗରମ ଜିଲ୍ଲାର କୋଟୁ ଗାଁ ନିକଟରେ ନାଗାବଳୀ ନଦୀ ଉପରେ ଏହି ଜଳପ୍ରକଳ୍ପ ନିର୍ମାଣ ପାଇଁ କରିବାକୁ ଯାଉଛି । ଏଥିପାଇଁ ଆନ୍ଧ୍ର ସରକାର 3 ଶହ କୋଟି ଟଙ୍କା ବ୍ୟୟ କରିବ । ଏହି ପ୍ରକଳ୍ପ ହେଲେ ନାଗାବଳୀ ନଦୀ ଅବବାହିକାର ଥିବା ରାୟଗଡା ଜିଲ୍ଲାର ବହୁ ଗାଁ ପ୍ରଭାବିତ ହେବ ।
୩୦୦ କୋଟିର ଆନ୍ଧ୍ରର ଏହି ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟ ସର୍ଭେ ଶେଷ ହୋଇଛି । ଯେଉଁ କୋଟୁ ଗାଁ ନିକଟରେ ଆନ୍ଧ୍ର ସରକାର ପ୍ରକଳ୍ପ ପାଇଁ ସ୍ଥାନ ଚୟନ କରିଛନ୍ତି ତାହା ରାୟଗଡା ଜିଲ୍ଲା ସୀମା ଠାରୁ ମାତ୍ର ୮ କିଲୋମିଟର ଦୂରରେ ଅବସ୍ଥିତ । ତେଣୁ ଯଦି ନାଗାବଳୀ ନଦୀ ତଳମୁଣ୍ଡରେ ଆନ୍ଧ୍ର ସରକାର ଜଳସେଚନ ପ୍ରକଳ୍ପ ନିର୍ମାଣ କରନ୍ତି ତେବେ ନଦୀର ଓସାର ଦିନକୁ ଦିନ ବଢିବା ସହ ଗତିପଥରେ ପରିବର୍ତ୍ତନ ଘଟି ଜନବସତି ଆଡକୁ ମାଡିଆସିବ । ଫଳରେ ରାୟଗଡା ଜିଲ୍ଲାର ନଦୀକୂଳିଆ ଗାଁ ଗୁଡିକ ବୁଡିଯିବ । ଓଡିଶା ସୀମାନ୍ତ ରାୟଗଡା ଜିଲ୍ଲାର ସଦର ବ୍ଲକ, କଲୋନରା ବ୍ଲକ ଏବଂ କଲ୍ୟାଣସିଂହପୁର ବ୍ଲକର ଶତାଧିକ ଗାଁ ଜଳ ମଗ୍ନ ହେବା ସହ ହଜାର ହଜାର ହେକ୍ଟର ଚାଷ ଜମି ମଧ୍ୟ ବୁଡିଯିବ । କେବଳ ସେତିକି ନୁହେଁ, ଏହାଦ୍ବାରା ନାଗାବଳୀ ନଦୀର ଜଳଧାରଣ କ୍ଷମତା ମଧ୍ୟ କମିଯିବ । ଯାହାଫଳରେ ବର୍ଷା ଋତୁରେ ବନ୍ୟା ଓ ଗ୍ରୀଷ୍ମ ଋତୁରେ ଉତ୍କଟ ଜଳ ସମସ୍ୟା ଦେଖାଯିବ ଏଠାରେ । ହେଲେ ଏହି ପ୍ରକଳ୍ପ ଦ୍ବାରା ଆନ୍ଧ୍ରପ୍ରଦେଶର 91 ଖଣ୍ଡ ଗାଁର ୫୦୦୦ ରୁ ଉର୍ଦ୍ଧ୍ବ ହେକ୍ଟର ଜମିରେ ଜଳ ସେଚନର ସୁବିଧା ମିଳିପାରିବ । ଆନ୍ଧ୍ର ବିଜୟନଗରମ ଜିଲ୍ଲାର ଅନେକ ଚାଷୀ ଉପକୃତ ହେବେ ବୋଲି ବୁରୁ ନାରାୟଣ ରାଓ ନାମକ ଜଣେ କୋଟୁ ଗ୍ରାମବାସିନ୍ଦା କହିଛନ୍ତି । ହେଲେ ଏହା ରାୟଗଡା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିବାକୁ ଥିବା ଯୋଗୁଁ ଓଡିଶା ସରକାର ବେଳ ଥାଉ ଥାଉ ପଦକ୍ଷେପ ନେବା ଜରୁରୀ ବୋଲି ଲୋକେ କହିଛନ୍ତି ।
ବଂଶଧାରା ଏବଂ ନାଗାବଳୀ ନଦୀକୁ ରାୟଗଡା ଜିଲ୍ଲାର ଲାଇଫଲାଇନ କୁହାଯାଏ । ପୂର୍ବରୁ ନରେଡି ଠାରେ ବଂଶଧାରା ନଦୀ ଉପରେ ବ୍ୟାରେଜ ନିର୍ମାଣ କରିସାରିଛି ଆନ୍ଧ୍ରପ୍ରଦେଶ । ନରେଡି ବ୍ୟାରେଜ ଦ୍ବାରା ଶ୍ରୀକାକୁଲମ ଜିଲ୍ଲାରେ ଚାଷବାସ ଭଲ ହେଉଛି । ହେଲେ ଏହାଯୋଗୁଁ ବ୍ୟାପକ କ୍ଷତି ସହିଛି ଓଡିଶା । ଏବେ ପୁଣି ନାଗାବଳୀ ନଦୀ ଉପରେ ସେ ଆଉ ଏକ ପ୍ରକଳ୍ପ କରିବାକୁ ଯାଉଛି । ଏହି ଦିଗରେ ରାଜ୍ୟ ସରକାରଙ୍କ ଦୃଷ୍ଟି ନ ପଡିବା ନେଇ ଅସନ୍ତୋଷ ବୃଦ୍ଧି ପାଉଛି ।
ବର୍ତ୍ତମାନ ନାଗାବଳୀ ନଦୀର ୭୦ ଭାଗ ଜଳ ଓଡିଶାରେ ରହିଛି ଏବଂ ୩୦ ଭାଗ ଆନ୍ଧ୍ରରେ । ହେଲେ ଏହାର ମାତ୍ର ୩୧ ପ୍ରତିଶତ ଜଳ ଓଡିଶାର ଚାଷ କାର୍ଯ୍ୟରେ ବ୍ୟବହାର ହେଉଛି । ତେଣୁ ନାଗାବଳୀ ନଦୀ ଜଳକୁ ଜଳସେଚନ ଦିଗରେ ଓଡିଶା ସରକାର ଠିକ ଭାବରେ ବିନିଯୋଗ କରିପାରିନଥିବା ଯୋଗୁଁ ଏହାର ସୁଯୋଗ ନେଇ ପଡୋଶୀ ଆନ୍ଧ୍ରପ୍ରଦେଶ ସରକାର ଏଥିରୁ ଫାଇଦା ନେଉଥିବା ଅଭିଯୋଗ ହୋଇଛି ।
୧୯୯୮ରେ ତତ୍କାଳୀନ ଜଳସମ୍ପଦ ମନ୍ତ୍ରୀ ସ୍ବର୍ଗତଃ ବସନ୍ତ ବିଶ୍ବାଳ ବେଲକଣାରେ ନାଗାବଳୀ ନଦୀରେ ଏକ ବ୍ୟାରେଜ ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ହେଲେ ଆଜି ଯାଏ ନା ହୋଇଛି ଯୋଜନା ନା ପ୍ରସ୍ତୁତ ହୋଇଛି ରୂପରେଖ। ସେହିପରି ନାଗାବଳୀ ନଦୀ ଉପରେ ବୃହତ ଜଳସେଚନ ପ୍ରକଳ୍ପ ସାଙ୍ଗକୁ ସୁରକ୍ଷାବନ୍ଧ ନିର୍ମାଣନେଇ ପ୍ରସ୍ତାବ ନାବାର୍ଡକୁ ଦିଆଯାଇଥିବା ପୂର୍ବରୁ ଅନେକବାର କୁହାଯାଉଥିଲେ ମଧ୍ୟ ସବୁତକ ଯୋଜନା ନାଲି ଫିତା ତଳେ ବନ୍ଧା ପଡ଼ିଛି । ଓଡିଶା ସରକାରଙ୍କ ଏଭଳି କାର୍ଯ୍ୟଶୈଳୀର ଫାଇଦା ନେଉଛି ଆନ୍ଧ୍ର ସରକାର ।
କଳାହାଣ୍ଡି ଜିଲ୍ଲା ନିୟମଗିରି ପାହାଡର ଲାଖବେହେଲି ନିକଟରୁ ନାଗାବଳୀ ନଦୀର ଉତ୍ପତି ଘଟିଛି । ଏହା କଳାହାଣ୍ଡି ଓ ରାୟଗଡା ଜିଲ୍ଲା ଦେଇ ପ୍ରବାହିତ ହେଉଛି । ଏହି ନଦୀ ରାୟଗଡା ସହର ଠାରୁ କିଛି ଦୂରରେ ଝଞ୍ଜାବତୀ ନଦୀରେ ମିଶି ଆନ୍ଧ୍ରପ୍ରଦେଶ ଦେଇ ବାଙ୍ଗୋପସାଗରରେ ମିଶିଛି । ମୋଟ ୨୫୬ କିଲୋମିଟର ନଦୀ ଉଭୟ ଓଡିଶା ଏବଂ ଆନ୍ଧ୍ରପ୍ରଦେଶରେ ପ୍ରବାହିତ ହେଉଛି । ନଦୀର ମୋଟ ଅବବାହିକା ହେଉଛି ୯୫୧୦ କିଲୋମିଟର । ବାର୍ଷିକ ୨୮୫୩୦ ଘନମିଟର ଜଳ ଏହି ନଦୀରେ ପ୍ରବାହିତ ହେଉଛି । ଓଡିଶାର ୨୬ ହଜାର ୧୬୭ ହେକ୍ଟର ଜମି ନାଗାବଳୀର ଜଳରେ ଜଳସେଚିତ ହୋଇପାରିବ । କିନ୍ତୁ ମାତ୍ର ୩ ହଜାର ୧୦୦ ହେକ୍ଟର ଜମି ଜଳସେଚିତ ହେଉଛି । ତାହା ମଧ୍ୟ କେବଳ ଉଠାଜଳସେଚନ ଜରିଆରେ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ