ରାୟଗଡ଼ା: ଜିଲ୍ଲା ପୋଲିସ ସହରରେ ବଡ଼ ଧରଣର ଡକାୟତି ଯୋଜନା କରୁଥିବା ସମୟରେ ଆନ୍ତଃରାଜ୍ୟ ଡକାୟତ ଦଳକୁ କାବୁ କରି ୬ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି । ଡକାୟତଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ବୋମା, ୨ଟି ଖଣ୍ଡା, ଗନ୍ ପାଉଡର, ଲୁହା ବଲ, ୩ଟି ଲୁହା ଛଡ଼, ୨ଟି ମୋବାଇଲ, ଗୋଟିଏ ଅଟୋ ଓ ବାଇକ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ ।

ରାୟଗଡ଼ା ସହରର ଊପକଣ୍ଠରେ ଥିବା ଏକ ବେସରକାରୀ କଲେଜ ନିକଟରେ ଡକାୟତି ଦଳ ଆଡ୍ଡା ଜମାଇଥିବା ଖବର ପାଇ ଏସଆଇ୍ ରାୟଗଡ଼ ଥାନାର ଏକ ପୋଲିସ ଟିମ ଚଢ଼ାଉ କରି ଡକାୟତ ଗ୍ୟାଙ୍ଗକୁ କାବୁ କରିଥିଲା। ୬ ଜଣଙ୍କୁ ପୋଲିସ ଉଠାଇ ଆଣି ଥାନାରେ ପଚରା ଉଚରା କରିବା ପରେ ବଡ଼ ଧରଣର ଡକାୟତି ପାଇଁ ଯୋଜନା ଚାଲିଥିବା ଜଣା ପଡ଼ିଥିଲା । ତେବେ ପୋଲିସ ଇଡ଼ିଲି ସାଗର, ଗୁର୍ଲି ବୁଜି, ମୋଗେଶ ମାଣ୍ଡାଙ୍ଗିଙ୍କୁ ଗିରଫ କରିଥିଲା। ଗିରଫ ସାଗର ଓ ବୁଜିର ଘର ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲ୍ଲାର ତୁରକାନୱାଲସା ଏବଂ ମୋଗେଶର ଘର ଗୁମ୍ମା ଲକ୍ଷ୍ମୀପୁରମ ଥାନାର ବାଥାଗୁଡ଼ୁବା ଗାଁରେ ବୋଲି ଜଣାପଡ଼ିଛି। ସେହିପରି ଅଟକ ଅନ୍ୟ ୩ ନାବାଳକଙ୍କୁ ପୋଲିସ ଜୁଭେନାଇଲ୍ କୋର୍ଟକୁ ସ୍ଥାନାନ୍ତର କରିଛି।
ଡକାୟତ ଗ୍ୟାଙ୍ଗ ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ାରୁ ଅଟୋ ଓ ବାଇକରେ ଆସିବା ଡକାୟତି ଯୋଜନା କରୁଥିଲେ। ଡକାୟତ ଦଳ ପାଖରେ ମାରଣାସ୍ତ୍ର ଥିବାରୁ କାହାକୁ ଆକ୍ରମଣ କରିବା ଯୋଜନା କରୁଥିଲେ କି ନାହିଁ ସେ ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ