ରାୟଗଡ଼ା: ଜିଲ୍ଲାର କଲ୍ୟାଣ ବିଭାଗ ହଷ୍ଟେଲ୍ରେ ଥିବା ୬୪ ଅନ୍ତେବାସୀ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଦର ମହକୁମା ଉପକଣ୍ଠ କଟଲାଗୁଡ଼ା ଅନ୍ଵେଷା ହଷ୍ଟେଲର ବ୍ଲକ-୧ରେ ରହୁଥିବା ୪୪ ଜଣ ଏବଂ ବିଷମକଟକ ବ୍ଳକ ହାଟମୁନିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ଆର୍ଆର୍ଟି ଟିମ୍ କଲ୍ୟାଣ ବିଭାଗର ଏହି ଦୁଇଟି ହଷ୍ଟେଲ୍ରେ ପହଞ୍ଚି ଅନ୍ତେବାସୀଙ୍କ ଆର୍ଟିପିସିଆର୍ ଟେଷ୍ଟ କରିବା ପରେ ୬୪ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ ।
ତେବେ କୌଣସି ଅନ୍ତେବାସୀଙ୍କ ମଧ୍ୟରେ ଜ୍ୱର, କାଶ କିମ୍ବା ଥଣ୍ଡାର ଲକ୍ଷଣ ଦେଖାଯାଇ ନାହିଁ । ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ ଅନ୍ଵେଷା, ହେଷ୍ଟଲ୍ ଯାଇ ଆକ୍ରାନ୍ତ ପିଲାଙ୍କ ସ୍ଵାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ । ଏଥିସହ ଔଷଧ, ଗରମ ଖାଦ୍ୟ ଏବଂ ସଫାସୁତୁରା ରହିବା ପାଇଁ ହଷ୍ଟେଲ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଭୁବନେଶ୍ୱରକୁ ଏହି ରିପୋର୍ଟ ପଠାଇଥିବା ବେଳେ ସଠିକ୍ ତଥ୍ୟ ଆସିଲେ ସୂଚନା ଦିଆଯିବ ବୋଲି କହିଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ